ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ: ଓଡ଼ିଶା ଲିଙ୍କ୍‌ରେ ୨ ମୋବାଇଲ୍‌ ଦୋକାନୀ ଗିରଫ

ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ: ଓଡ଼ିଶା ଲିଙ୍କ୍‌ରେ ୨ ମୋବାଇଲ୍‌ ଦୋକାନୀ ଗିରଫ

ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର କାର୍‌ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌ ସାମ୍ନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ବ୍ୟାପକ ତନାଘନା ଆରମ୍ଭ ହୋଇଛି। ଏହି ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଥିଲେ।

ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍‌ ସିମ୍‌କାର୍ଡ ଯାଜପୁର ଓ ଭଦ୍ରକ ଜିଲ୍ଲାରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ତଦନ୍ତକୁ ଜୋରଦାର କରିଥିଲା। ଗତକାଲି ଦିଲ୍ଲୀ ସାହିନ୍‌ବାଗ ଥାନା ପୁଲିସ ଯାଜପୁର ଓ ପଡ଼ୋଶୀ ଜିଲ୍ଲା ଭଦ୍ରକର ମଞ୍ଜୁରୀରୋଡ୍‌ ବଜାରରେ ଚଢ଼ଉ କରି ଦୁଇ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଛି।

ମଞ୍ଜୁରୀରୋଡ୍‌ ବଜାରରେ ମୋବାଇଲ୍‌ ଦୋକାନ କରିଥିବା ସନ୍ତୋଷ ଖଣ୍ଡେଇ ଏବଂ ତାଙ୍କ ସହଯୋଗୀ ତରାଗୋ ଅଞ୍ଚଳର ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୁଲିସ ପ୍ରଥମେ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରାଯାଇଥିଲା ଏବଂ ଦିଲ୍ଲୀ ପୁଲିସ ରିମାଣ୍ଡରେ ସେମାନଙ୍କୁ ନିଜ ସହ ନେଇଯାଇଛି।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଦୁଇଜଣ ମିଳିତ ଭାବେ ଗ୍ରାହକମାନେ ନୂଆ ସିମ୍‌କାର୍ଡ କିଣିବାକୁ ଆସିଲେ ସେମାନଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ୍‌ ଆକ୍ଟିଭ୍‌ କରୁଥିଲେ। ସେଥିରୁ ଗୋଟିଏ ସିମ୍‌କାର୍ଡ ମୂଳ ଗ୍ରାହକଙ୍କୁ ଦେଇ ବାକି ଅନ୍ୟ ସିମ୍‌ଗୁଡ଼ିକୁ ଗ୍ରାହକଙ୍କ ଅଜାଣତରେ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରୁଥିଲେ।

ଯାଜପୁର କୋରେଇ ଥାନା ଅଞ୍ଚଳର ବହୁ ବେକାର ଯୁବକଙ୍କୁ ଏମାନେ ଦୋକାନରୁ ସିମ୍‌ କିଣିବାକୁ ପ୍ରଲୋଭିତ କରୁଥିଲେ ଏବଂ ପ୍ରତି ସିମ୍‌ ପାଇଁ ୨ରୁ ୩ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ। ପୁଲିସ ଅନୁମାନ କରୁଛି ଯେ ଏହି ବେଆଇନ ଭାବେ ଆକ୍ଟିଭ୍‌ ହୋଇଥିବା ସିମ୍‌କାର୍ଡଗୁଡ଼ିକୁ ଅପରାଧିକ ଏବଂ ଆତଙ୍କବାଦୀ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା।

ଦିଲ୍ଲୀ ସାହିନ୍‌ବାଗ ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସନ୍ତୋଷଠାରୁ ବିକ୍ରି ହୋଇଥିବା ବହୁ ବେଆଇନ ସିମ୍‌କାର୍ଡ ଜବତ ହୋଇଛି। ଉଭୟଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା କାରବାର ହୋଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି, ଯାହା ଏହି ବେଆଇନ କାର୍ଯ୍ୟକଳାପର ଗମ୍ଭୀରତାକୁ ଦର୍ଶାଉଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories