ବ୍ରହ୍ମପୁର: ଭଡ଼ାଟିଆଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷ ହେବ ଭଡ଼ା ରହୁଥିବା ଲୋକଙ୍କ ନିଜ ପ୍ରିୟ ସହରରେ ମିଳିବ ଘର । ଭଡ଼ା ରହୁଥିବା ଲୋଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଆଫର୍ଡେବଲ ହାଉସିଂ ଯୋଜନାରେ ଘର ଦେବେ ସରକାର । ବ୍ରହ୍ମପୁର ପ୍ରଶାସନ ଏଥିରେ ଆଗୁଆ ଅଛି ।ଏତିପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ତିନିଟି ତହସିଲ କୁକୁଡାଖଣ୍ଡି , ବ୍ରହ୍ମପୁର, କନିଷି ଅଧିନରେ ଥିବା ସରକାରୀ ଜମିକୁ ଚିହ୍ନଟ ପାଇଁ ନିର୍ଦେଶ ଦିଆଯାଇଛି । ୧୫ ଦିନ ଭିତରେ ଜମି ଚିହ୍ନଟ ନେଇ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଜମି ଚିହ୍ନଟ ପରେ ପ୍ରସ୍ତୁତ ହେବ ଡିପିଆର ମାସେ, ଦୁଇମାସ ଭିତରେ ଘର ନିର୍ମାଣ ପାଇଁ ଡିପିଆର ତିଆରି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଏମିତିକି ଯୋଜନାର ଲାଭ ନେବାକୁ ୱାର୍ଡ଼ ସ୍ତରରେ ଲୋକଙ୍କୁ ସଚେତନ କରାଯିବା । ଏଥିପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ( ବିଡ଼ିଏ) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସହରରେ ବିଭିନ୍ନ ଅଞ୍ଚଳରେ ଭଡା଼ରେ ରହୁଥିବା ଲୋକଙ୍କୁ ଚିହ୍ନଟ କରାଯିବ । ବ୍ରହ୍ମପୁର, କନିଷି ଓ କୁକୁଡାଖଣ୍ଡି ତହସିଲ ଅଧିନରେଥିବା ସରକାରୀ ଜମିକୁ ଚିହ୍ନଟ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।କେଉଁ ତହସିଲରେ କେତେ ସରକାରୀ ଜମି ଅବ୍ୟବହୃତ ହୋଇ ପଡ଼ିରହିଛି ତାହାକୁ ଅନୁଧ୍ୟାନ ପରେ ସେଠାରେ ଘର ତିଆରି କରାଯିବ ।୨୦ ହଜାର ଘର ତିଆରି ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ପ୍ରାୟ ୫୦ ଏକର ଜାଗା ଆବଶ୍ୟକ । ଜମି ଚିହ୍ନଟ ଓ ଘର ନିର୍ମାଣ ଡିପିଆରକୁ ସରକାରଙ୍କ ଅନୁମୋଦନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି ।
ଜାଗା ଚିହ୍ନଟ ପରେ ୱାର୍ଡ଼ୱାରି ସଚେତନତା କାର୍ଯ୍ୟକ୍ରମ ହେବ । ସୂଚନା ଅନୁସାରେ ୨୦ ହଜାର ହିତାଧିକାରୀଙ୍କୁ ଘର ମିଳିବ । ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ଖବର ଜଣାପଡ଼ିଲା ପରେ ହିତାଧିକାରୀ ମାନେ ଅନଲାଇନରେ ଆବେଦନ ଆରମ୍ଭ କଲେଣି । ସରକାରଙ୍କ ଗାଇଡ ଲାଇନ ଅନୁସାରେ ଘର ପାଇଁ ହିତାଧିକାରୀଙ୍କ ନିଜ ନାଁରେ ପଟ୍ଟା ନଥିବା ଆବଶ୍ୟକ । ଆବେଦନ ପରେ ଏକ ଫର୍ମ ମିଳିବ । ଉକ୍ତ ଫର୍ମକୁ ଯେତେବେଳେ ସର୍ଭେ ଅଧିକାରୀ ଆସିବେ ସେମାନଙ୍କୁ ଦେଖାଇବେ । ଯେଜନାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ହିତାଧିକାରୀ ସ୍ବଳ୍ପ ରୋଜଗାରରେ ସହରରେ ରହି ପିଲାଙ୍କୁ ପାଠ ପଢ଼ାଇବା ସହ ଘର ଖଣ୍ଡିଏ କରିବା ସ୍ବପ୍ନ । ତେବେ ଏହାକୁ ସାକାର କରିବା ନେଇ ସରକାର ଓ ପ୍ରଶାସନ ନେଇଥିବା ପଦକ୍ଷେପ ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ହିତାଧିକାରୀ ଅଭୟ ସାହୁ କହିଛନ୍ତି । ଭଡ଼ାଟିଆଙ୍କୁ ନିଜ ଘର ଯୋଗାଇଦେବା ନେଇ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।







