ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସୁରକ୍ଷା କବଚ କୁହାଯାଉଥିବା ଐତିହାସିକ ‘ମେଘନାଦ ପାଚେରି’ର ଦୁର୍ବଳ ଅବସ୍ଥା ପୁଣି ଥରେ ସାମ୍ନାକୁ ଆସିଛି। ପାଚେରିର ଯୋଡେଇ ସ୍ଥାନରେ ଫାଟ ସୃଷ୍ଟି ହୋଇ ମଇଳା ନାଳ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଭକ୍ତ ତଥା ସଚେତନ ମହଲରେ ଗଭୀର ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ସମସ୍ୟାଟି କିନ୍ତୁ ନୂଆ ନୁହେଁ। କିଛି ବର୍ଷ ଧରି ମେଘନାଦ ପାଚେରିରେ ଏପରି ଫାଟ ସୃଷ୍ଟି ହୋଇ ପାଣି ଗଳିବା ଖବର ଆସୁଛି। ଗତ ବର୍ଷ ‘ଧରିତ୍ରୀ’ ସମେତ ଅନେକ ଗଣମାଧ୍ୟମରେ ଏହି ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା। ପ୍ରାୟ ବର୍ଷେ ତଳେ ପାଚେରିରୁ ଶିଉଳି ସଫା କରାଯାଇ ଫାଟ ଗୁଡ଼ିକୁ ଗ୍ରାଉଟିଂ (Grouting) ମାଧ୍ୟମରେ ଯୋଡେଇ କରାଯାଇଥିଲା। ଏହି ମରାମତି ପରେ ଡ୍ରେନ୍ ପାଣି ଝରିବା ବନ୍ଦ ହୋଇଥିଲା ବୋଲି କୁହାଯାଉଥିଲା।
ମାତ୍ର ଦୁର୍ଭାଗ୍ୟର ବିଷୟ, ଏହି ମରାମତି କାର୍ଯ୍ୟ ମେଘନାଦ ପାଚେରିକୁ ବର୍ଷେ ବି ସୁରକ୍ଷା ଦେଇପାରିଲା ନାହିଁ। ବର୍ତ୍ତମାନ ପୁଣି ତିନିଟି ସ୍ଥାନରେ ପାଚେରି ଦେଇ ନାଳ ପାଣି ଝରିବା ଆରମ୍ଭ ହୋଇଯାଇଛି ଏବଂ ପାଚେରି ଗାତ୍ରରେ ଶିଉଳି ମାଡ଼ି ଯିବାରେ ଲାଗିଛି। ଯେଉଁ ପାଚେରି ଶ୍ରୀମନ୍ଦିରର ସୁରକ୍ଷା କରେ, ତାହା ନିଜେ ଅସୁରକ୍ଷିତ ହେବାକୁ ନେଇ ସବୁଆଡ଼େ ଆଲୋଚନା ହେଉଛି। ମନ୍ଦିର ଚାରିପାଖର ନାଳ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ତ୍ରୁଟି ଯୋଗୁଁ ଏପରି ହେଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) ତୁରନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। କେବଳ ଅସ୍ଥାୟୀ ମରାମତି ନୁହେଁ, ପାଚେରିର ଦୀର୍ଘସ୍ଥାୟୀ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଅନୁରୋଧ କରାଯାଇଛି।








