ରାଜ୍ୟରେ ଜାରି ରହିଛି ଶୀତର ଲହରୀ; ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ

ରାଜ୍ୟରେ ଏବେବି ଶୀତର ପ୍ରକୋପ ଜାରି ରହିଛି । କିଛି ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ଜନଜୀବନ ଏବେବି ଅସ୍ତବ୍ୟସ୍ତ ହେଉଛି । ୩ ଡିଗ୍ରିକୁ ଖସିଯାଇଥିବା ଜି. ଉଦୟଗିରିର ରାତି ପାରଦ ସାମାନ୍ୟ ବଢ଼ି ଏବେ ୫ ଡିଗ୍ରିକୁ ଉଠିଛି । ଏହି ସାମାନ୍ୟ ପରିବର୍ତ୍ତନ ସତ୍ତ୍ୱେ, ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ଏବେବି ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ରାତି ତାପମାତ୍ରା ୬ ଡିଗ୍ରି ରହିଥିବା ବେଳେ କୋରାପୁଟରେ ୬.୮ ଡିଗ୍ରି, ସେମିଳିଗୁଡ଼ାରେ ୭.୪ ଡିଗ୍ରି, ଚିପିଲିମାରେ ୮.୮ ଡିଗ୍ରି ଓ ନବରଙ୍ଗପୁରରେ ୯ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି, ଭବାନୀପାଟଣାରେ ୯.୨ ଡିଗ୍ରି, ଅନୁଗୁଳରେ ୯.୬ ଡିଗ୍ରି ଏବଂ ଝାରସୁଗୁଡ଼ାରେ ୯.୮ ଡିଗ୍ରି ରାତି ତାପମାତ୍ରା ରହିଛି ।

ପୁରୀକୁ ବାଦ୍ ଦେଲେ ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ଦ୍ୱୈତନଗରୀ କଟକରେ ମଧ୍ୟ ଶୀତ ଜାରି ରହିଛି । ଦ୍ୱୈତନଗରୀରେ ୧୨.୬ ଡିଗ୍ରି ରାତି ତାପମାତ୍ରାରେ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଭୁବନେଶ୍ୱରରେ ସକାଳୁ କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଗତକାଲି ଅପେକ୍ଷା ଆଜି ଥଣ୍ଡା ସାମାନ୍ୟ କମ୍ ଅନୁଭୂତ ହୋଇଛି । ତେବେ, ଏହି ଥଣ୍ଡା ପରିସ୍ଥିତିରୁ ଏବେ ତୁରନ୍ତ ମୁକ୍ତି ମିଳିବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories