ଭୁବନେଶ୍ଵର: ଦଳବଦଳ, ମିଶ୍ରଣ ପର୍ବକୁ ନେଇ ରାଜ୍ୟ ରାଜନୀତିରେ ସବୁଦିନ ନୁଆଫର୍ଦ୍ଦ ଯୋଡ଼ି ହେଉଥିବାବେଳେ ଏହାକୁ ନେଇ ନେତାଙ୍କ ଆକ୍ରୋଶମୂଳକ ପ୍ରତିକ୍ରିୟା ଦଳକୁ ଅଡ଼ୁଆରେ ପକାଉଛି। ଦଳର ଭିତିରି କଥାକୁ ପଦାରେ ପକାଉଛି। ଦଳର ଆଖ୍ୟା ଦେଇ ନିଜର ଆତ୍ମ ବଡିମା, ଅହଙ୍କାରକୁ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି। କହିବାବେଳେ ତୁଣ୍ଡ ଉପରେ ନେତାଙ୍କର ନିୟନ୍ତ୍ରଣ ରହୁ ନ ଥିବା ଦେଖାଯାଇଛି। ବିଜେଡ଼ିର ଦୁଇ ବିଧାୟକଙ୍କ ନିଲମ୍ବନ ଓ କିଛି ନେତା ଦଳ ଛାଡୁଥିବା ବେଳେ ତଥାକଥିତ ବରିଷ୍ଠ ନେତ୍ରୀ କୁହାଯାଉଥିବା ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟକୁ ରାଜ୍ୟବ୍ୟାପୀ ଚର୍ଚ୍ଚା। ଦଳ ଛାଡୁଥିବା ନେତାଙ୍କୁ ଯେଉଁ ଭାଷାରେ ଆକ୍ଷେପ କରୁଛନ୍ତି ତାହା ସାଧାରଣରେ ଆଦୌ ଗ୍ରହଣୀୟ ନୁହେଁ। ବୁଦ୍ଧିଜୀବୀ ମହଲରେ ପ୍ରମିଳାଙ୍କ ମନ୍ତବ୍ୟକୁ କଡା ଭାଷାରେ ନିନ୍ଦା କରାଯାଇଛି।
ପ୍ରମିଳା କେମିତି ବାକ ଶାଲିନତା ଭୁଲି ଯାଉଛନ୍ତି ସମ୍ପୂର୍ଣ୍ଣ ଘଟଣାକ୍ରମ ମନେ ପକାଇ ଦେଉଛୁ। ଗତ ଗୁରୁବାର ହଠାତ୍ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ନିଲମ୍ବନ କରାଯିବାର ମାତ୍ର କିଛି ଘଣ୍ଟା ପରେ ଯାଜପୁର ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭ ଜେନା ନିଜଆଡୁ ବିଜେଡିରୁ ଇସ୍ତଫା ଦେଇଦେଲେ। ଗୁରୁବାର ଦଳରୁ ଦୁଇ ଦୁଇ ଜଣ ବିଦା ହେବାର ମାତ୍ର କିଛି ଘଣ୍ଟା ଭିତରେ ଆଉ ଜଣେ ବରିଷ୍ଠ ନେତା ବି ଦଳ ଛାଡ଼ିଥିଲେ । ଯାଜପୁରର ପୂର୍ବତନ ଲୋକସଭା ସାଂସଦ ରୀତ ତରାଇ ବି ଅପ୍ରତ୍ୟାଶିତ ଭାବେ ଦଳ ଛାଡ଼ିଲେ । ଦଳ ଛାଡ଼ିବାଟା ଯେତିକି ରୋଚକ ଥିଲା ତାଠୁ ଅଧିକ ରୋଚକ ହେଉଛି ୨୪ଘଣ୍ଟା ଭିତର ସମସ୍ତେ ପଦ୍ମ କ୍ୟାମ୍ପରେ ଦେଖା ଦେଇଥିଲେ । ଅର୍ଥାତ ଭୁବନେଶ୍ବର ଆସି ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ ।
ବିଜେଡି ନେତା କିଛି ଭାବିବା ପୂର୍ବରୁ ବିଜେଡି ଛାଡି ବିଜେପିରେ ମିଶିବାକୁ ସହଜରେ ହଜମ କରିପାରିଲେ ନି ବିଜେଡି ନେତୃତ୍ବ । ଯାଜପୁରରେ ଦଳର ବରିଷ୍ଠ ନେତ୍ରୀ ତଥା ଯାହାଙ୍କ ପାଇଁ ଅତୀତରେ ବହୁ ଚର୍ଚିତ ଡାଲି ଦୁର୍ନୀତି ପାଇଁ ଦଳ ବଦନାମ ସହଥିଲା ଅର୍ଥାତ ପ୍ରମିଳା ମଲ୍ଲିକ ଖବର ଶୁଣି ଏକପ୍ରକାର ନିଆଁ ବାଣ ହୋଇଯାଇଥିବା ଦେଖାଯାଇଯାଥିଲା । ଯାଜପୁର ଏକ କାର୍ଯ୍ୟକ୍ରମକୁ ଯାଇଥିବାବେଳେ ସାମ୍ବାଦିକମାନେ ଏ ପ୍ରସଙ୍ଗରେ ପ୍ରମିଳାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ । ତେବେ ସବୁ ପଦ ମର୍ଯ୍ୟାଦା ଓ ସାମାନ୍ୟତମ ସୌଜନ୍ୟତା ଭୁଲିଯାଇଥିଲେ ପ୍ରମିଳା । ଦଳ ଛାଡ଼ିଥିବା ନେତାଙ୍କୁ ମନଇଚ୍ଛା ସମାଲୋଚନା କରିଥିଲେ । ଏମିତି କି ବ୍ୟକ୍ତିଗତସ୍ତରକୁ ଚାଲି ଯାଇଥିଲେ ପ୍ରମିଳା ଅଳିଆ, ଅଦରକାରୀ ବୋଲି ନେତାଙ୍କୁ କହିଥିଲେ ଏମିତି କେତେ ଅଳିଆ ଆସିବେ, ଅଳିଆ ଯିବେ ବୋଲି ପ୍ରମିଳା କହିଥିଲେ ପୂର୍ବରୁ ଦଳ ଛାଡି଼ଥିବା ବହୁ ନେତାଙ୍କୁ ପ୍ରମିଳା ପୋକା ବାଇଗଣ ବୋଲି କହିଛନ୍ତି ।
ଏବେ କଥା ଉଠୁଛି ବିଜେଡିକୁ ନିଜେ ଗଢ଼ିଥିବା ବହୁ ବରିଷ୍ଠ ନେତା ଅତୀତରେ ଦଳ ଛାଡ଼ିଛନ୍ତି ଏମିତିକି ବିଜେଡିକୁ ନୂଆ ଦିଶା ଦେଇଥିବା ସ୍ବର୍ଗତଃ ପ୍ୟାରୀ ମହାପାତ୍ର ନିଜର ଅହଙ୍କାର ପାଇଁ ସତ୍ତା ହରାଇଲେ ଏବେ ପ୍ରଶ୍ନ ଉଠୁଛୁ କେଉଁ ଆଧାରରେ ପ୍ରମିଳା ଦଳଛଡ଼ା ନେତାଙ୍କୁ ଅଳିଆ, ଅଦରକାରୀ କହୁଛନ୍ତି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ଯଦି ଏମାନେ ସତରେ ଅଳିଆ,ପୋକା ବାଇଗଣ ତାହେଲେ ବିଜେଡି ଏମାନଙ୍କୁ ନେଇ ଓଡ଼ିଶାବାସୀଙ୍କୁ ଦୀର୍ଘ ଦିନ ଧରି ଭୁଆଁ ବୁଲାଇ ଚାଲିଥିଲା । ଅଳିଆ ନେତାଙ୍କ ନେତତ୍ବ ନେଉଥିଲେ ନବୀନ । ସିଧାସିଧା ସିନା ଦଳଛଡ଼ା ନେତାଙ୍କୁ ଟାର୍ଗେଟ କରିଛନ୍ତି ପ୍ରମିଳା । ପରୋକ୍ଷରେ ଅଳିଆ ନେତାଙ୍କ ଦଳ ବିଜେଡି ବୋଲି କହିବାକୁ ଭୁଲି ନାହାନ୍ତି ବୋଲି ଯାଜପୁର ଜିଲ୍ଲାର ବରିଷ୍ଠ ରାଜନୀତି ସମୀକ୍ଷକ ଓ ରାଜ୍ୟରାଜନୀତିକୁ ସମୀକ୍ଷା କରୁଥିଲା ବିଷାରଦଙ୍କ ମତ । ଅନ୍ୟ କେତେକଙ୍କ ମତରେ କ୍ଷମତାରୁ ଗଲା ପରେ ପ୍ରମିଳା ବାଚଳାମି ପ୍ରତିକ୍ରିୟା ଦଳ ଓ ଦଳର ସୁପ୍ରିମୋଙ୍କୁ ଅଡୁଆରେ ପକାଇବା ସହ ବିରୋଧୀଙ୍କୁ ସମାଲୋଚନାର ଖୋରାକ ଯୋଗାଇବ ବୋଲି ରାଜନୀତି ସମୀକ୍ଷକଙ୍କ ମତ ସହ ଚାରିଆଡେ ଚର୍ଚା ହୋଉଛି । ବିଜେଡିରେ ଥିବାବେଳେ ଭଲ ଥିଲେ ଛାଡ଼ିଲା ବେଳେ ନିଜର ସ୍ଵାଧୀନ ମତବ୍ୟକ୍ତ କଲାବେଳେ ସେହି ସମାନ ନେତା ଅଳିଆ, ଅଦରକାରୀ, ପୋକା ବାଇଗଣ କେମିତି ହେଲେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।







