ବିଶ୍ୱ ଦରବାରରେ ଓଡ଼ିଶାର ପଟ୍ଟଚିତ୍ର ପ୍ରଦର୍ଶିତ

ବିଶ୍ୱ ଦରବାରରେ ଓଡ଼ିଶାର ପଟ୍ଟଚିତ୍ର ପ୍ରଦର୍ଶିତ

୪୦ରୁ ଅଧିକ ଦେଶର ପ୍ରତିନିଧିଙ୍କୁ ଭେଟି ଦେଲେ ଭାରତ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ସମ୍ମିଳନୀ ‘ଆଇଆଇସିଡ଼ିଇଏମ-୨୦୨୬’ରେ ଓଡ଼ିଶାର କଳା ଓ ସଂସ୍କୃତିର ଜୟଯାତ୍ରା ଦେଖିବାକୁ ମିଳିଛି । ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ‘ପଟ୍ଟଚିତ୍ର’କୁ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଉପହାର ଭାବେ ପ୍ରଦର୍ଶିତ କରାଯାଇଛି ।

ବିଶ୍ୱ ଦରବାରରେ ଓଡ଼ିଶାର ପଟ୍ଟଚିତ୍ର ପ୍ରଦର୍ଶିତ

​ଜାନୁଆରୀ ୨୧ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଶ୍ୱର ପ୍ରାୟ ୭୦ରୁ ଅଧିକ ଦେଶର ପ୍ରତିନିଧି ଦଳ ଯୋଗ ଦେଇଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ୪୦ରୁ ଅଧିକ ଦେଶର ମୁଖ୍ୟ ପ୍ରତିନିଧିମାନଙ୍କୁ ଭାରତର ସମୃଦ୍ଧ ଐତିହ୍ୟର ପ୍ରତୀକ ସ୍ୱରୂପ ଓଡ଼ିଶାର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ଏହି କଳାକୃତିରେ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ‘ରାସଲୀଳା’ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ଅତି ସୁନ୍ଦର ଭାବେ ଚିତ୍ରିତ ହୋଇଛି ।

​ସୂଚନାଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ୨୦୨୫ ଡିସେମ୍ବରରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପୁରୀ ଜିଲ୍ଲା ରଘୁରାଜପୁରର ଶିଳ୍ପୀମାନଙ୍କ ନିଖୁଣ କାରୁକାର୍ଯ୍ୟ ଦେଖି ଅଭିଭୂତ ହୋଇଥିଲେ। ଶ୍ରୀମନ୍ଦିର ଓ କୋଣାର୍କ ପରିଦର୍ଶନ ସାରି ଫେରିବା ବାଟରେ ସେ ରଘୁରାଜପୁରର କାରିଗରମାନଙ୍କ ଅସାଧାରଣ ପ୍ରତିଭା ଦେଖି ଏହାକୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ସ୍ଥାନ ଦେବାକୁ ନିଷ୍ପତ୍ତି ନେଇଥିଲେ।

​ଦଶମ ଶତାବ୍ଦୀରୁ ଚାଲିଆସୁଥିବା ଏହି ପ୍ରାଚୀନ ସ୍କ୍ରୋଲ୍-ପେଣ୍ଟିଂ ପରମ୍ପରା ଆଜି ବି ଓଡ଼ିଶାରେ ଜୀବନ୍ତ ରହିଛି । ପ୍ରାକୃତିକ ରଙ୍ଗ ଓ କପଡ଼ା ବ୍ୟବହାର କରି ପ୍ରସ୍ତୁତ ଏହି କଳାକୃତି ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛି ।  ଆଇଆଇସିଡ଼ିଇଏମ-୨୦୨୬ରେ ଏହାର ପ୍ରଦର୍ଶନ ଓଡ଼ିଶାର ସାଂସ୍କୃତିକ ଗୌରବକୁ ଆହୁରି ଦ୍ୱିଗୁଣିତ କରିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହି ସମ୍ମିଳନୀରେ ଓଡ଼ିଶାରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଳନ, ଅତିରିକୁ ସିଇଓ ସୁଶାନ୍ତ କୁମାର ମିଶ୍ର,ଡେପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ଡେପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ ଏବଂ ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ ପ୍ରମୁଖ ଉପସ୍ଥିତ ଥିଲେ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories