ଭୁନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ୨୦୨୬କୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ଏହି ବଜେଟକୁ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ବୋଲି ଅଭିହିତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିଜ ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ‘ଡବଲ୍ ଇଞ୍ଜିନ୍’ ସରକାର ଥିବା ସତ୍ତ୍ୱେ ଭିତ୍ତିଭୂମି, ନିଯୁକ୍ତି ଏବଂ ଅତିରିକ୍ତ ଅନୁଦାନ କ୍ଷେତ୍ରରେ ରାଜ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ବିଶେଷ କରି ସାରା ଦେଶରେ ଘୋଷଣା କରାଯାଇଥିବା ୭ଟି ହାଇ-ସ୍ପିଡ୍ ରେଳ କରିଡର୍ରୁ ଓଡ଼ିଶାକୁ ବାଦ୍ ଦିଆଯିବା ଏବଂ ବୌଦ୍ଧ ସର୍କିଟ୍ ବିକାଶ ଯୋଜନାରେ ଓଡ଼ିଶାର ‘ଡାଇମଣ୍ଡ ଟ୍ରାଇଙ୍ଗଲ୍’ ସ୍ଥାନ ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଅଭିଯୋଗ କରିଛନ୍ତି ଯେ, କେବଳ ରାଜ୍ୟର ପ୍ରାକୃତିକ ସମ୍ପଦକୁ ନେଇଯିବା ପାଇଁ ଅନୁଦାନ ମିଳୁଥିବା ବେଳେ ଜନସାଧାରଣଙ୍କ ବିକାଶ ପାଇଁ କୌଣସି ଆନ୍ତରିକତା ନାହିଁ। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ବିଜେପି ସରକାର ଅଟକାଇ ଦେଇଥିବା ବେଳେ କେନ୍ଦ୍ରୀୟ ବଜେଟ୍ ମଧ୍ୟ ଓଡ଼ିଶାର ସହରୀ ପରିବହନକୁ ନେଇ ନୀରବ ରହିବା ଓଡ଼ିଶାବାସୀଙ୍କୁ ଶକ୍ତ ଧକ୍କା ଦେଇଛି।
ଅନ୍ୟପଟେ, ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ବଜେଟକୁ ତୀବ୍ର ସମାଲୋଚନା କରି ଏହାକୁ ‘କର୍ପୋରେଟ୍ ବନ୍ଧୁଙ୍କ ପାଇଁ ଉଦ୍ଦିଷ୍ଟ’ ବୋଲି କହିଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ଏହି ବଜେଟ ଦିଗହୀନ ଏବଂ କୃଷକ, ଯୁବକ ତଥା ମଧ୍ୟବିତ୍ତ ଶ୍ରେଣୀର ଆଶା ପୂରଣ କରିବାରେ ବିଫଳ ହୋଇଛି। ସେ ତଥ୍ୟ ରଖି କହିଛନ୍ତି ଯେ ଦେଶ ଉପରେ ଋଣର ବୋଝ ୧୯୦ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ଶିକ୍ଷିତ ଗ୍ରାଜୁଏଟ୍ ମାନଙ୍କ ବେକାରୀ ହାର ୨୬.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଓଡ଼ିଶା କ୍ଷେତ୍ରରେ କେନ୍ଦୁଝର-ପାରାଦ୍ୱୀପ ଜଳପଥ ଘୋଷଣାକୁ ସେ ଏକ ‘ଧୂଆଁବାଣ’ ବୋଲି କହିବା ସହ ଏହା କେବଳ ଅମ୍ବାନୀ ଓ ଅଦାନୀଙ୍କ ଭଳି ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ପ୍ରଦୂଷିତ ହେଉଥିବା ମହାନଦୀ ଓ ବୈତରଣୀକୁ ରକ୍ଷା ନକରି ଏଭଳି ପୁରୁଣା ଯୋଜନାକୁ ପୁଣି ଘୋଷଣା କରିବା ଲୋକଙ୍କୁ ପ୍ରତାରଣା ବୋଲି ସେ ଦର୍ଶାଇଛନ୍ତି।
ସାମଗ୍ରିକ ଭାବେ ବଜେଟ ୨୦୨୬ ଓଡ଼ିଶା ପାଇଁ କେତେକାଂଶରେ ‘ରେୟାର୍ ଆର୍ଥ କରିଡର୍’ ଭଳି ନୂତନ ସମ୍ଭାବନା ଆଣିଥିଲେ ହେଁ, ସାଧାରଣ ଓଡ଼ିଆଙ୍କ ମୌଳିକ ସମସ୍ୟା ଓ ରାଜ୍ୟର ଦୀର୍ଘଦିନର ଦାବି ପ୍ରତି ଏହା ବିଶେଷ ସହାୟକ ହୋଇନାହିଁ। ବିଶେଷଜ୍ଞଙ୍କ ମତରେ, ଖଣିଜ ଭିତ୍ତିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଇଥିଲେ ହେଁ, ସାମାଜିକ ସୁରକ୍ଷା ଓ ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ କୌଣସି ସିଧାସଳଖ ନିଯୁକ୍ତି ସୁଯୋଗର ଅଭାବ ଏହି ବଜେଟର ଏକ ଦୁର୍ବଳ ଦିଗ ହୋଇ ରହଛି।








