ନାଗ୍ ଅଶ୍ୱିନଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ବୈଜ୍ଞାନିକ କାଳ୍ପନିକ ଚଳଚ୍ଚିତ୍ର ‘କଲ୍କି 2898 AD’ ର ଦ୍ୱିତୀୟ ଭାଗକୁ ନେଇ ଏବେ ସିନେ ଜଗତରେ ଜୋରଦାର ଚର୍ଚ୍ଚା ଚାଲିଛି। ସବୁଠାରୁ ବଡ଼ ଖବର ହେଉଛି, ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଦୀପିକା ପାଦୁକୋନ (SUM-80 ଚରିତ୍ର) ଏହି ସିନେମା ରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାଇ ପଲ୍ଲବୀଙ୍କୁ ନେବା ପାଇଁ ନିର୍ମାତାମାନେ ଯୋଜନା କରୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପାରିଶ୍ରମିକ ଏଵଂ ସମୟ କୁ ନେଇ ବିବାଦ କାରଣରୁ ଦୀପିକା ଏହି ସିକ୍ୱେଲରୁ ବାହାରି ଯାଇଛନ୍ତି। ସେ ପ୍ରାୟ ୨୦ ଦିନର ସୁଟିଂ ଶେଷ କରିବା ପରେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। କିଛି ରିପୋର୍ଟ ଅନୁଯାୟୀ, ଫିଲ୍ମ ଟିମ୍ ବର୍ତ୍ତମାନ ସାଇ ପଲ୍ଲବୀଙ୍କ ଉପରେ ଗୁରୁତ୍ୱ ଦେଉଛନ୍ତି। ନିର୍ମାତାମାନେ ଅନୁଭବ କରୁଛନ୍ତି ଯେ ‘ସୁମତି’ ବା ‘SUM-80’ ଭୂମିକା ପାଇଁ ସାଇ ଜଣେ ଯୋଗ୍ୟ ଅଭିନେତ୍ରୀ। ତେବେ ବୈଜୟନ୍ତୀ ମୁଭିଜ୍ ପକ୍ଷରୁ ଏ ସମ୍ପର୍କରେ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ। ବର୍ତ୍ତମାନ କେବଳ ଆଲୋଚନା ଚାଲିଛି ଏବଂ କିଛି ବି ଚୂଡ଼ାନ୍ତ ହୋଇନାହିଁ।
ସିନେମା ର ପ୍ରଥମ ଭାଗରେ ‘SUM-80’ ବା ସୁମତି ଚରିତ୍ର କଲ୍କିଙ୍କ ମାତା ଭାବେ ପରିଚିତ। ଚଳଚ୍ଚିତ୍ରର ଶେଷ ଭାଗରେ ପ୍ରଭାସ (ଭୈରବ) ତାଙ୍କୁ ସାଥିରେ ନେଇଯାଇଥିଲେ। ସିକ୍ୱେଲରେ ଏହି ଚରିତ୍ରଟି କାହାଣୀର କେନ୍ଦ୍ରବିନ୍ଦୁ ହେବ, ତେଣୁ ସିନେମା ର ଆସନ୍ତା ଭାଗ ଦର୍ଶକଙ୍କ ପାଇଁ ବେଶ୍ ଆକର୍ଷଣୀୟ ହବ ବୋଲି ଆଶା କରା ଯାଉଛି।
୨୦୨୪ରେ ମୁକ୍ତିଲାଭ କରିଥିବା ପ୍ରଥମ ଭାଗ ବିଶ୍ୱସ୍ତରରେ ୧୦୪୨ କୋଟି ଟଙ୍କା ସଂଗ୍ରହ କରି ଇତିହାସ ରଚିଥିଲା। ଏବେ ସାଇ ପଲ୍ଲବୀଙ୍କ ଏହି ପ୍ରବେଶ ଚଳଚ୍ଚିତ୍ରକୁ ଏକ ନୂଆ ମୋଡ଼ ଦେଇପାରେ। ଆଗକୁ ଏଇ ସିନେମା ଟି ଦର୍ଶକ ଙ୍କ ମନ ଜିଣି ପାରୁଛି କି ନାହିଁ ତାହା ଦେଖିବା ବାକି ଅଛି।








