ମହଙ୍ଗା ଭଡ଼ାରୁ ମିଳିବ ମୁକ୍ତି, ଶ୍ରମିକ ଓ ମଧ୍ୟବିତ୍ତ ଙ୍କୁ ଓଡ଼ିଶା ସରକାର ଦେବେ ସରକାରୀ ଭଡ଼ା ଘର

ମହଙ୍ଗା ଭଡ଼ାରୁ ମିଳିବ ମୁକ୍ତି, ଶ୍ରମିକ ଓ ମଧ୍ୟବିତ୍ତ ଙ୍କୁ ଓଡ଼ିଶା ସରକାର ଦେବେ ସରକାରୀ ଭଡ଼ା ଘର

ଭୁବନେଶ୍ବର: ଓଡ଼ିଶାର ସହରାଞ୍ଚଳରେ ରହୁଥିବା ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ (PMAY-U) 2.0’ ଅନ୍ତର୍ଗତ ଏବେ ସହରରେ ଶସ୍ତା ଦରରେ ଭଡ଼ା ଘର ଯୋଗାଇ ଦିଆଯିବ। ବଢୁଥିବା ମହଙ୍ଗା ଭଡ଼ାରୁ ମୁକ୍ତି ଦେବା ସହ ସହରୀ ଜୀବନଧାରଣକୁ ସୁଗମ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ଏହି ଅଭିନବ ଯୋଜନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଖାଲି ପଡ଼ିଥିବା କିମ୍ବା ବ୍ୟବହାର ହେଉନଥିବା ଆବାସିକ କୋଠାଗୁଡ଼ିକୁ ଚିହ୍ନଟ କରାଯିବ। ସେଗୁଡ଼ିକୁ ମରାମତି କରି କିମ୍ବା ନୂତନ ରୂପ ଦେଇ ସୁଲଭ ଭଡ଼ା ଘର କମ୍ପ୍ଲେକ୍ସରେ ପରିଣତ କରାଯିବ। ବିଶେଷ କରି ଅଣସଂଗଠିତ କ୍ଷେତ୍ରର ଶ୍ରମିକ, ପ୍ରବାସୀ ଶ୍ରମିକ, ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ କର୍ମଜୀବୀ ମହିଳାମାନେ ଏହାଦ୍ୱାରା ଉପକୃତ ହେବେ।

ତେବେ ଏହାର କାର୍ଯ୍ୟକାରିତା ପାଇଁ ଦୁଇଟି ମଡେଲ ପ୍ରସ୍ତୁତ କରା ଯାଇଛି ଲ ସୂଚନା ଅନୁଯାୟୀ, ଏହି ଯୋଜନା ଦୁଇଟି ପ୍ରକାରରେ କାର୍ଯ୍ୟକାରୀ ହେବ:

ପ୍ରଥମ ମଡେଲ: ସରକାରୀ ଅନୁଦାନପ୍ରାପ୍ତ ବର୍ତ୍ତମାନର ଖାଲି କୋଠାଗୁଡ଼ିକୁ ପିପିପି (PPP) ମୋଡ୍‌ କିମ୍ବା ସରକାରୀ ସଂସ୍ଥା ଜରିଆରେ ଭଡ଼ା ଘରେ ପରିଣତ କରାଯିବ।

ଦ୍ୱିତୀୟ ମଡେଲ: ଏଥିରେ ଘରୋଇ କିମ୍ବା ସରକାରୀ ସଂସ୍ଥାଗୁଡ଼ିକ ନିଜେ ନିର୍ମାଣ ଓ ରକ୍ଷଣାବେକ୍ଷଣ କରିବେ ଏବଂ ଭଡ଼ା ମାଧ୍ୟମରେ ସେମାନଙ୍କର ପୁଞ୍ଜି ଫେରସ୍ତ ପାଇବେ।

ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବିଭିନ୍ନ ବିଭାଗକୁ ଚିଠି ଲେଖି ସହରାଞ୍ଚଳରେ ଥିବା ଖାଲି ଗୃହ ସମ୍ପର୍କରେ ତଥ୍ୟ ମାଗିଛନ୍ତି। ଏହି ପଦକ୍ଷେପ ଦ୍ୱାରା ସହରରେ ଅସ୍ୱାସ୍ଥ୍ୟକର ବସ୍ତି ଅଞ୍ଚଳର ବୃଦ୍ଧି ହ୍ରାସ ପାଇବା ସହ ଶ୍ରମିକମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଭଡ଼ାର ସୀମା ନିର୍ଦ୍ଧାରଣ କରାଯିବ, ଯାହା ଗରିବ ଲୋକଙ୍କ ପାଇଁ ସୁଲଭ ହେବ।

Latest Stories