ସାଂସଦ ସୁଲତାଙ୍କୁ DMF ନିୟମ ବୁଝାଇଲେ ବିଧାୟକ ଆକାଶ ଦାସନାୟକ

ସାଂସଦ ସୁଲତାଙ୍କୁ DMF ନିୟମ ବୁଝାଇଲେ ବିଧାୟକ ଆକାଶ ଦାସନାୟକ

ଭୁବନେଶ୍ବର: ପାଣ୍ଠି ଓ ପ୍ରଦୂଷଣକୁ ନେଇ ଯାଜପୁର ରାଜନୀତି ସରଗରମ। ନେତାଙ୍କ ଅସନ୍ତୋଷ, କଥା କଟାକଟି, ନେତାଙ୍କୁ ନିୟମ ବୁଝାଉଛନ୍ତି ନେତା । ତାଟିଆ ବିକଳରେ ଔଷଧ କାମୁଡ଼ିଲା ଭଳି ସ୍ଥିତି। ରାଜ୍ୟସଭା ସାଂସଦ ସୁଲତା ଦେଓ ଓ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଚର୍ଚ୍ଚା । ସାଂସଦ ସୁଲତା ଦେଓ ପ୍ରସିଦ୍ଧ ବ୍ୟାସସରୋବର ମହୋତ୍ସବକୁ ଯୋଗଦେବା ସମୟରେ ଜିଲ୍ଲା ଖଣିଜ ପାଣ୍ଠି (DMF) ଓ ପ୍ରଦୂଷଣକୁ ନେଇ ପ୍ରଶ୍ନ ଉଠାଇ ସିଧାସିଧା ପ୍ରଶାସନ ଓ ସ୍ଥାନୀୟ ନେତାଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଖଣିଜ ପରିବହନ ଓ ଶିଳ୍ପାଞ୍ଚଳ ବ୍ୟାସନଗରରେ ଭୟଙ୍କର ପ୍ରଦୂଷଣ ରହିଛି । ରାଜ୍ୟର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ହେଲେ ମଧ୍ୟ ବ୍ୟାସନଗର DMF ପାଣ୍ଠିରୁ ବଞ୍ଚିତ, ଲୋକେ ଶ୍ୱାସଜନିତ ଓ ଫୁସଫୁସ ରୋଗରେ ଆକ୍ରାନ୍ତ ହେଉଥିବା ସତ୍ତ୍ୱେ ସ୍ୱାସ୍ଥ୍ୟ ସେବା ନାହିଁ ଓ DMF ଖର୍ଚ୍ଚ ହେଉନି, ଯାହାକୁ ସେ ଶାସକ ଦଳର ଅପାରଗତା ବୋଲି ଅଭିଯୋଗ କରିଥିଲେ।

ସାଂସଦଙ୍କ ଏହି ଅଭିଯୋଗକୁ କଡ଼ା ଭାଷାରେ ଖଣ୍ଡନ କରି କୋରେଇ ବିଧାୟକ ଆକାଶ ଦାସନାୟକ ପଏଣ୍ଟ ଟୁ ପଏଣ୍ଟ ତଥ୍ୟ ରଖି କହିଛନ୍ତି । DMF ପାଣ୍ଠିରୁ ବ୍ୟାସନଗର ବଞ୍ଚିତ ହୋଇନଥିବା ଅଭିଯୋଗ ଭିତ୍ତିହୀନ । ଓମ୍ବାଡସି ଯୋଜନାରେ ବ୍ୟାସନଗର ସାମିଲ ହୋଇଛି ଓ ଗତ ୨୪ ବର୍ଷ ଧରି DMF ଅନ୍ୟ ସ୍ଥାନରେ ଖର୍ଚ୍ଚ ହେଉଥିବାବେଳେ ସାଂସଦ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି । ବ୍ୟାସନଗର, କୋରେଇ ଓ ପାଣିକୋଇଲି ପାର କରି DMF ଯାଜପୁରକୁ ଯାଇ ସେଠାରେ ମନଇଛା କାମ ହେଉଥିବା ସମୟରେ ସାଂସଦ ଚୁପ ଥିଲେ କାହିଁକି, ପ୍ରକୃତରେ ବ୍ୟାସନଗର ଲୋକଙ୍କ ପ୍ରତି ଦରଦ ଥିଲେ ପୂର୍ବରୁ ଏ କଥା ଉଠାଇପାରିଥାନ୍ତେ ବୋଲି ସେ କହିଛନ୍ତି । ନିୟମ ବୁଝାଇ ବିଧାୟକ କହିଛନ୍ତି ଯେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଖଣି ଅଞ୍ଚଳର ୩୦ କିଲୋମିଟର ମଧ୍ୟରେ DMF ବିନିଯୋଗ ହୋଇପାରିବ ଓ ଏହା ନିୟମ ଅନୁସାରେ ହେଉଛି, କେବଳ ବ୍ୟାସନଗର ବା କୋରେଇ ନୁହେଁ, ସୁକିନ୍ଦା ନିର୍ବାଚନମଣ୍ଡଳୀର ଦାନଗଦି ବ୍ଲକର ଅର୍ଦ୍ଧାଧିକ ଅଞ୍ଚଳ ମଧ୍ୟ ବାଦ ପଡ଼ିଛି । ପୂର୍ବରୁ DMF ପାଣ୍ଠିର ସିଂହଭାଗ ଅର୍ଥ ଯାଜପୁର ସହର, ବିଂଝାରପୁର ଓ ଦଶରଥପୁର ବ୍ଲକରେ ପିଇବା ପାଣି ଯୋଗାଣ ନାମରେ ଖର୍ଚ୍ଚ ହୋଇଛି ।

ଏବେ ସାଂସଦ DMF ବିନିଯୋଗ ନେଇ ପ୍ରଶ୍ନ ଉଠାଇବା କେତେଦୂର ଯଥାର୍ଥ, ତାହାକୁ ନେଇ ଆଲୋଚନା ଜୋର୍‌ ଧରିଛି । ଜିଲ୍ଲାର ବରିଷ୍ଠ ରାଜନୀତି ସମୀକ୍ଷକମାନେ କହୁଛନ୍ତି ଯେ କଳିଙ୍ଗନଗର ପ୍ରଦୂଷଣ ଏବେ ଅଣନିଶ୍ୱାସୀ ସ୍ଥିତିରେ ପହଞ୍ଚିଛି । ଏହି ପ୍ରସଙ୍ଗରେ ପ୍ରଦୂଷଣ ବୋର୍ଡ ଓ ଜାତୀୟ ଗଣମାଧ୍ୟମରେ ବହୁବାର ଖବର ପ୍ରକାଶ ପାଇଛି, କିନ୍ତୁ ସାଂସଦ ସୁଲତା ଦେଓ ରାଜ୍ୟସଭାରେ ଏହାକୁ ନେଇ ଦୃଷ୍ଟିଆକର୍ଷଣ କରିନଥିବା ଦେଖାଯାଇଛି । ଏବେ ଜିଲ୍ଲା ଗସ୍ତରେ ଆସି ପ୍ରଦୂଷଣ ପ୍ରସଙ୍ଗକୁ ଅସ୍ତ୍ର କରିବାକୁ କେବଳ ରାଜନୀତି ବୋଲି ଆଲୋଚନା ହେଉଥିବାବେଳେ, ପ୍ରଦୂଷଣରେ ଅଞ୍ଚଳବାସୀ ହନସନ୍ତ ହେଉଥିବା ସତ୍ତ୍ୱେ ପ୍ରତିକାର ଉପରେ କଥା ନ କହି DMF ପାଣ୍ଠି ବ୍ୟବହାରକୁ ନେଇ ସ୍ୱର ଉଠାଇବାକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛି, । ଯାହା ସହ ସାଂସଦଙ୍କୁ DMF ଖର୍ଚ୍ଚ ନିୟମ ବୁଝାଇବାକୁ ନେଇ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଉଠିଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories