ଯାଜପୁର: ଯାଜପୁରରେ ବିଜେଡ଼ି ନେତାଙ୍କ ରଣହୁଙ୍କାର, ଚାଷୀ ସମସ୍ୟା ନେଇ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ। ଏକାଠି ହୋଇଥିଲେ ବର୍ତ୍ତମାନ ଓ ପୂର୍ବତନ ବିଧାୟକ, ଏକାଠି ହୋଇଥିଲେ ହେଭିୱେଟ। ପ୍ରଥମଥର ପାଇଁ ବିଜେଡିର ପ୍ରତିବାଦ ସଭା। ମୁହଁ ଖୋଲିଲେ ବବି। ଖୋଲା ମଞ୍ଚରେ ସରକାରଙ୍କୁ ଟାର୍ଗେଟ। ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବବି। ଚାଷୀଙ୍କ ବ୍ୟଥା ବଖାଣିଲେ । ଧାନ ବିକ୍ରି ସମସ୍ୟା ଉଠାଇଲେ । ବାଲି ମାଫିଆଙ୍କୁ ସମାଲୋଚନା କଲେ।
କହିଲେ ଏ ସରକାର ହେଲା ମିଛୁଆ ସରକାର, ଆକ୍ସିଡେଣ୍ଟାଲ ସରକାର। ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ନେଇଗଲେ। କଥା ଦେଇ କଥା ରଖୁନାହାନ୍ତି। କାମ କରୁନି ଡବଲ ଇଞ୍ଜିନ। ରାଜ୍ୟ ଆଗକୁ ଯିବା ବଦଳରେ ପଛୁଆ ହୋଇ ଚାଲିଛି ବୋଲି ଲୋକେ କହିଲେଣା। ମଣ୍ଡିରେ 30ପ୍ରତିଶତ ଧାନ ବିକ୍ରି ହୋଇନି। ବାଲି ଓ ପଥର ମାଫିଆ ମାନେ ଦିନରେ ଲୁଟି ଚାଲିଛନ୍ତି। ରାଜସ୍ବ ହରାଇ କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର ବୋଲି ପ୍ରଣବ କହିଛନ୍ତି।
ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳ ସଚେତିକା ପ୍ରମିଳା ମଲ୍ଲିକଙ୍କ ତୀବ୍ର ପ୍ରତିବାଦ। ମଞ୍ଚରେ ଥାଇ ପ୍ରମିଳା କହିଛନ୍ତି ଏ ସରକାର କେବେ ସତ କଥା କହି ପାରିବ ନାହିଁ। ମିଛ କହି ଭୋଟ ନେଇଲେ। ଖାଲି ମିଛ ଚାଲିବ। ଡବଲ ଇଞ୍ଜିନକୁ କରେଣ୍ଟ ଆସୁନି। ଇଞ୍ଜିନ ଦୁଇ ପଟରୁ ଠିକ୍ କାମ କରୁନି। ସରକାର ସ୍ଥାଣୁ। ଚାଷୀ ଠକାମୀର ଶିକାର। ଧାନ କଟଣି ଛଟଣି ବନ୍ଦ କର, ଝୋଟ ଅଖା ବଦଳରେ ଜରି ଅଖାରେ ଧାନ ନିଅ, ଛାତ୍ରଙ୍କୁ ସୁବିଧା ଦିଅ, ଯୁବକଙ୍କୁ କାମ ଦିଅ, ଗୁଣ୍ଡାଗର୍ଦି ବନ୍ଦ କର। ଦାବି ପୂରଣ ନହେଲେ ରାଜରାସ୍ତାରେ ଲଢେଇ ହେବ। ବ୍ଲକ, ତହସିଲ ଘେରାଉ କରିବା ନେଇ ପ୍ରମିଳା ଚେତାବନୀ ଦେଇଛନ୍ତି ।
ସେହିପରି ଅତି କଡା ଭାଷାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରୀତି ରଞ୍ଜନ ଘଡ଼ାଇ। ସରକାର ଓ ଜିଲ୍ଲା ପ୍ରଶାସନକୁ ଆଙ୍ଗୁଳି ଦେଖାଇ ସିଧାସିଧା ଟାର୍ଗେଟ କରିଛନ୍ତି ପ୍ରୀତି। “ଭୋକିଲା ଥିଲ, ଯେତେ ପାରୁଛ ଖାଇ ଯାଅ। ଲୁଟି ଯାଅ। ବାଲି, ପଥର, ଖଣି ସବୁ ଲୁଟ୍ ଚାଲିଥିବା ଖୋଲା ମଞ୍ଚରେ ଅଭିଯୋଗ କରିଛନ୍ତି ପ୍ରୀତି। ଏଠି ତହସିଲଦାର ଠୁ ଜିଲ୍ଲାପାଳ ସମସ୍ତେ ଦୁର୍ନୀତିଗ୍ରସ୍ତ। ଲୁଟରେ ସାମିଲ। ମିଲିଭଗତରେ ବେଧଡ଼କ ଭାବେ ଚାଲିଛି ବେଆଇନ କାମ। ହେଲେ ଅନ୍ନଦାତାକୁ କଷ୍ଟ ଦେଲେ ବରଦାସ୍ତ କରାଯିବନି। ଏମିତି ଜିଲ୍ଲାପାଳଙ୍କୁ ମାଇଚିଆ ବୋଲି କହିଛନ୍ତି ପ୍ରୀତି। ମାଇଚିଆ ଜିଲ୍ଲାପାଳ ଦରକାର ନାହିଁ। ଜିଲ୍ଲାପାଳ ଅଫିସରେ ତାଲା ପକାଇ ଦିଆଯିବ ବୋଲି ପ୍ରୀତି ଧମକ ଦେଇଛନ୍ତି।
ବୁଧବାର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପ୍ରତିବାଦ ସଭାରେ ଏକାଠି ହୋଇଥିଲେ । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ, ବିଜେଡି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଉଷ୍ଣ ଭାଷଣ ଦେଇଥିଲେ। ଦୀର୍ଘ ଦିନ ପରେ ଯାଜପୁରେ ନେତାଙ୍କ ଗର୍ଜନକୁ ନେଇ ଚର୍ଚା ଚାଲିଛି।








