ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ସରଗରମ ହୋଇଛି ଓଡ଼ିଶା ରାଜନୀତି। ଏହି କ୍ରମରେ ଆଜି ସନ୍ଧ୍ୟା ୫ଟାରେ ନବୀନ ନିବାସରେ ବିଜୁ ଜନତା ଦଳ (ବିଜେଡି) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ମୁଖ୍ୟତଃ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯିବ। ବର୍ତ୍ତମାନର ସାଂସଦ ସସ୍ମିତ ପାତ୍ର ଗତକାଲି ୬ ସେଟ୍ ନୋମିନେସନ୍ ଫର୍ମ କିଣିବା ପରେ ତାଙ୍କର ପୁନଃ ନାମାଙ୍କନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ବ୍ୟତୀତ ନବୀନଙ୍କ ପଲିଟିକାଲ ସେକ୍ରେଟାରୀ ସନ୍ତୃପ୍ତ ମିଶ୍ରଙ୍କ ନାମ ମଧ୍ୟ ରେସ୍ରେ ଥିବା କୁହାଯାଉଛି। ଗତକାଲି ବିଜେଡିର ରାଜନୈତିକ ବ୍ୟାପାର କମିଟି (PAC) ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା
ନିର୍ବାଚନ ସୂଚୀ
ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶାର ୪ଟି ଆସନ ସମେତ ସାରା ଦେଶର ୩୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
- ନାମାଙ୍କନ ଦାଖଲ: ଫେବ୍ରୁଆରୀ ୨୬ ରୁ ମାର୍ଚ୍ଚ ୫।
- ଯାଞ୍ଚ ଓ ପ୍ରତ୍ୟାହାର: ମାର୍ଚ୍ଚ ୬ ରେ ଯାଞ୍ଚ ଏବଂ ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।
- ମତଦାନ: ମାର୍ଚ୍ଚ ୧୬ ତାରିଖରେ ଭୋଟ୍ ଗ୍ରହଣ କରାଯାଇ ସେହିଦିନ ହିଁ ଫଳାଫଳ ଘୋଷଣା ହେବ।
ବୈଠକ ପରେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି କେତେଜଣଙ୍କୁ ଉପର ସଦନକୁ ପଠାଇବ, ସେ ନେଇ ସାରା ରାଜ୍ୟର ନଜର ରହିଛି।








