ଓଡ଼ିଶା ରାଜ୍ୟସଭା ନିର୍ବାଚନ: ବିଜେପି ପକ୍ଷରୁ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଗାମୀ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପାଣିପାଗ ସରଗରମ ହୋଇଛି। ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ମଙ୍ଗଳବାର ଦିନ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ନାମକୁ ପ୍ରାର୍ଥୀ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଜେପି କେନ୍ଦ୍ରୀୟ କମିଟି ଏହି ଦୁଇ ନେତାଙ୍କ ନାମ ଉପରେ ମୋହର ମାରିବା ପରେ ରାଜ୍ୟ ରାଜନୀତିରେ ଏହାକୁ ଏକ ବଡ଼ ରଣନୈତିକ ପଦକ୍ଷେପ ଭାବେ ଦେଖାଯାଉଛି।

କେନ୍ଦ୍ରୀୟ ନେତୃତ୍ୱର ବଡ଼ ନିଷ୍ପତ୍ତି

ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର କେନ୍ଦ୍ରୀୟ ଚୟନ କମିଟି ଓଡ଼ିଶାରୁ ଦୁଇଟି ଆସନ ପାଇଁ ଏହି ନାମ ତାଲିକା ଚୂଡ଼ାନ୍ତ କରିଛି। ସୁଜିତ କୁମାର, ଯିଏ କି ପୂର୍ବରୁ ବିଜେଡିରୁ ରାଜ୍ୟସଭା ସାଂସଦ ଥିଲେ, ସେ ନିକଟରେ ବିଜେପିରେ ସାମିଲ ହୋଇଥିଲେ। ଦଳ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେହିପରି ରାଜ୍ୟ ବିଜେପିର ମଙ୍ଗ ଧରିଥିବା ଅଭିଜ୍ଞ ନେତା ମନମୋହନ ସାମଲଙ୍କୁ ରାଜ୍ୟସଭା ପଠାଇ ଦଳ ଓଡ଼ିଶାରେ ନିଜର ସାଂଗଠନିକ ସ୍ଥିତିକୁ ଆହୁରି ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି।

​ପ୍ରାର୍ଥୀ ଘୋଷଣା ପରେ ଦଳୀୟ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ମନମୋହନ ସାମଲଙ୍କ ନିଜ ମନ୍ତବ୍ୟ ରଖି କହିଛନ୍ତି ଯେ “କେନ୍ଦ୍ରୀୟ ନେତୃତ୍ୱ ମୋ ଉପରେ ଯେଉଁ ଭରସା ରଖିଛନ୍ତି, ସେଥିପାଇଁ ମୁଁ କୃତଜ୍ଞ। ଓଡ଼ିଶାର ସ୍ୱାର୍ଥ ଏବଂ ବିକାଶ ପାଇଁ ଆମେ ଲଢ଼େଇ ଜାରି ରଖିବୁ।”

ଅନ୍ୟ ପକ୍ଷରେ କେନ୍ଦ୍ରିୟ ନେତା ମାନେ ପ୍ରକାଶ କରିଛନ୍ତି ଯେ, ଉଭୟ ପ୍ରାର୍ଥୀଙ୍କ ଅଭିଜ୍ଞତା ଏବଂ ସାଂଗଠନିକ ଦକ୍ଷତା ଆଗାମୀ ଦିନରେ ଦଳ ପାଇଁ ଲାଭଦାୟକ ହେବ।

​ଓଡ଼ିଶା ବିଧାନସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ଦୁଇ ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ବୋଲି ଧରାଯାଉଛି। ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ରାଜ୍ୟସଭାକୁ ପଠାଇ ବିଜେପି ପଶ୍ଚିମ ଓଡ଼ିଶା ଏବଂ ଉପକୂଳ ଓଡ଼ିଶା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛି।

Latest Stories