ଭୁବନେଶ୍ୱର: ଆଜି ଥିଲା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ। ଏହି ଅବସରରେ ଓଡ଼ିଶା ବିଧାନସଭାରେ ଏକ ଅତି ରୋଚକ ଓ ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ ଏକାଠି ବିଧାନସଭାରେ ପହଞ୍ଚିବା ସହ ପାଖାପାଖି ବସିଥିବା ଦେଖାଯାଇଥିଲା। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟ୍ରେ ନାମାଙ୍କନ ଦାଖଲ କରିଥିବା ବେଳେ, ଡାକ୍ତର ଦତ୍ତେଶ୍ୱର ହୋତା ଉଭୟ ଦଳର ‘ସାଧାରଣ ପ୍ରାର୍ଥୀ’ (Common Candidate) ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରିଟର୍ଣ୍ଣି ଅଫିସରଙ୍କ ନିକଟରେ ଦୁଇ ନେତା ନୋମିନେସନ ଫାଇଲ୍ କରିଛନ୍ତି।
ନାମାଙ୍କନ ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ ପଟ୍ଟନାୟକ କହିଛନ୍ତି “ରାଜ୍ୟସଭା ନିର୍ବାଚନ ପାଇଁ ଆମ ଦଳ ଦୁଇଜଣ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ପ୍ରାର୍ଥୀ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ର ଏବଂ ଦ୍ୱିତୀୟ ସିଟ୍ ପାଇଁ ଆମେ ଜଣେ ସାଧାରଣ ପ୍ରାର୍ଥୀ ଭାବେ ବିଶିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତା ଙ୍କୁ ସମର୍ଥନ କରୁଛୁ। ମୁଁ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରୁଛି ଯେ ସେମାନେ ଡକ୍ଟର ହୋତା ଙ୍କୁ ସମର୍ଥନ କରନ୍ତୁ ଏବଂ ଓଡ଼ିଶାର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାନ୍ତୁ। ଭବିଷ୍ୟତରେ ମେଣ୍ଟ ସମ୍ଭାବନା ନେଇ ମୁଁ ଏତିକି କହିବି ଯେ, ସମୟ ହିଁ ଭବିଷ୍ୟତ କଥା କହିବ।”
ସେହିପରି ପ୍ରଥମ ଥର ପାଇଁ ବିଜେଡି ସହ ହାତ ମିଳାଇଥିବା କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ ନିଜର ବଡ଼ ବୟାନ ରଖି କହିଛନ୍ତି “ଇତିହାସରେ ପ୍ରଥମ ଥର ପାଇଁ ବିଜେଡି ଏବଂ କଂଗ୍ରେସ ରାଜ୍ୟସଭାର ଚତୁର୍ଥ ସିଟ୍ ପାଇଁ ହାତ ମିଳାଇଛନ୍ତି ଏବଂ ଏକ ମିଳିତ ନିଷ୍ପତ୍ତି ନେଇଛନ୍ତି। ବହୁ ଦିନ ପରେ ସମଭାବାପନ୍ନ ଦଳଗୁଡ଼ିକ ଏକାଠି ହେଲେ। ଏଆଇସିସି (AICC) ନବୀନ ବାବୁଙ୍କ ପ୍ରସ୍ତାବକୁ ଗ୍ରହଣ କରିଛି। ଡକ୍ଟର ଦତ୍ତେଶ୍ୱର ହୋତା ଙ୍କୁ ଜଣେ ସାଧାରଣ ପ୍ରାର୍ଥୀ ଭାବେ ଗ୍ରହଣ କରିବା ଆମର ପାରସ୍ପରିକ ସହମତି। ରାମକାନ୍ତ ବାବୁଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଧାୟକ ଉପସ୍ଥିତ ଥିଲେ ଏବଂ କୌଣସି ବିଧାୟକ ଭୁଲ୍ ନିଷ୍ପତ୍ତି ନେବେନି ବୋଲି ମୋର ଦୃଢ଼ ବିଶ୍ୱାସ।”
ଅନ୍ୟପଟେ ସଂତୃପ୍ତ ମିଶ୍ର କହିଛନ୍ତି ଯେ ରାଜନୀତିରେ କେହି କାହାର ଚିରସ୍ଥାୟୀ ଶତ୍ରୁ ନୁହନ୍ତି। ଦିଲ୍ଲୀପ ରାୟଙ୍କ ସ୍ୱାଧୀନ ପ୍ରାର୍ଥୀତ୍ୱ ଉପରେ ସେ କହିଛନ୍ତି ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କର ପ୍ରତିଦ୍ୱନ୍ଦିତା କରିବାର ଅଧିକାର ରହିଛି। ବିଜୁ ଜୟନ୍ତୀ ଅବସରରେ ଏହି ନୂତନ ରାଜନୈତିକ ସମୀକରଣ ଓଡ଼ିଶାରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ଏହି ସମଗ୍ର ଘଟଣାକ୍ରମ ଭିତରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଅଭିଜ୍ଞ ନେତା ଦିଲ୍ଲୀପ ରାୟ। ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ‘ରାଜନୀତିରେ କିଛି ବି ଅସମ୍ଭବ ନୁହେଁ। ଯଦି ରାଜ୍ୟର ସ୍ୱାର୍ଥ ଏବଂ ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ଦଳ ଏକାଠି ହେଉଛନ୍ତି, ତେବେ ଏହାକୁ ସ୍ୱାଗତ କରାଯିବା ଉଚିତ୍।’
ତେବେ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ଏବଂ ବିରୋଧୀଙ୍କ ଏକତା ପରେ ଚତୁର୍ଥ ଆସନର ଅଙ୍କ ଏବେ ଓଲଟପାଲଟ। ତେବେ ଦେଖିବାକୁ ବାକି ରହିଲା, ଶେଷ ମୁହୂର୍ତ୍ତରେ କାହାର ମାଷ୍ଟରଷ୍ଟ୍ରୋକ୍ କାମ କରୁଛି ଏବଂ କିଏ ମାରୁଛି ବାଜିl







