୪ର୍ଥ ରାଜ୍ୟସଭା ସିଟ୍‌ ପାଇଁ ଶାଣିତ ଆକ୍ରମଣ: ଅତୀତର ହିସାବ ମାଗିଲା ବିଜେପି, ନୈତିକତା କଥା କହିଲା ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ଚତୁର୍ଥ ରାଜ୍ୟସଭା ଆସନ ପାଇଁ ରାଜନୈତିକ ପାଣିପାଗ ଏବେ ବେଶ୍ ସରଗରମ ହୋଇଛି। ଶନିବାର ଏହି ପ୍ରସଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟି (BJP) ଏବଂ ବିରୋଧୀ ବିଜୁ ଜନତା ଦଳ (BJD) ମଧ୍ୟରେ ତୀବ୍ର ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି। ସଂଖ୍ୟା ଗଣିତ ଏବଂ ନୈତିକତାକୁ ନେଇ ଉଭୟ ଦଳ ପରସ୍ପରକୁ ଟାର୍ଗେଟ୍ କରିଛନ୍ତି।

ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ବିଜେପି ଉପରେ ବର୍ଷି କହିଛନ୍ତି ଯେ, ବିଧାନସଭାରେ ପର୍ଯ୍ୟାପ୍ତ ସଂଖ୍ୟା ନଥାଇ ମଧ୍ୟ ବିଜେପି କିଭଳି ଚତୁର୍ଥ ଆସନ ଜିତିବାକୁ ଦାବି କରୁଛି? ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ। ଶ୍ରୀ ସାହୁ କହିଛନ୍ତି  “ଯଦି ସମ୍ବିଧାନ ଏବଂ ନୈତିକତାକୁ ବଳି ଦିଆଯାଏ, ତେବେ ହୁଏତ ସେମାନେ ଜିତିପାରନ୍ତି। କିନ୍ତୁ ଏହା ଗଣତନ୍ତ୍ର ପ୍ରତି ଏକ ଅସମ୍ମାନ ହେବ।”

ପୁରୁଣା ଦିନ କଥା ମନେ ପକାଇଲା ବିଜେପି

ବିଜେଡିର ଏହି ଅଭିଯୋଗକୁ ବିଜେପି ବିଧାୟକ ବାବୁ ସିଂହ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସେ ଅତୀତର ଉଦାହରଣ ଦେଇ କହିଛନ୍ତି ଯେ, ଯେତେବେଳେ ବିଜେଡି ପ୍ୟାରୀମୋହନ ମହାପାତ୍ର ଏବଂ ବୈଷ୍ଣବ ଚରଣ ପରିଡ଼ାଙ୍କୁ ରାଜ୍ୟସଭାକୁ ପଠାଇଥିଲା, ସେତେବେଳେ ସେମାନଙ୍କ ପାଖରେ କେଉଁ ସଂଖ୍ୟା ଥିଲା?

ବିଜେପି ନେତାଙ୍କ କହିବା ଅନୁସାରେ, ରାଜ୍ୟସଭା ନିର୍ବାଚନରେ କୌଣସି ‘ପାର୍ଟି ହ୍ୱିପ୍’ (Whip) ନଥାଏ। ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ ମିଳିବାର ପୂର୍ଣ୍ଣ ସମ୍ଭାବନା ରହିଛି। ବିଜେଡି ନିଜ ସୁବିଧା ଅନୁସାରେ ନୈତିକତାର ପାଠ ପଢ଼ାଉଛି ବୋଲି ସେ କଟାକ୍ଷ କରିଛନ୍ତି।

ସଂଖ୍ୟା ଗଣିତର ଗୁରୁତ୍ୱ

ସାଧାରଣତଃ ରାଜ୍ୟସଭା ନିର୍ବାଚନରେ ବିଧାୟକମାନଙ୍କ ସଂଖ୍ୟା ଭିତ୍ତିରେ ପ୍ରାର୍ଥୀ ଚୟନ ହୋଇଥାଏ। ତେବେ ଚତୁର୍ଥ ଆସନ ପାଇଁ ଉଭୟ ପକ୍ଷରୁ ଗୋଟି ଚାଳନା ଜାରି ରହିଥିବାରୁ, ଏହି ଲଢ଼େଇ ଏବେ କେବଳ ସଂଖ୍ୟାରେ ସୀମିତ ନରହି ‘ପ୍ରତିଷ୍ଠା’ର ଲଢ଼େଇରେ ପରିଣତ ହୋଇଛି।

ନିର୍ବାଚନ ପୂର୍ବରୁ ଏହି ରାଜନୈତିକ ଟଣାଓଟରା ଆଗକୁ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Latest Stories