ବାଲେଶ୍ୱର: ବାଲେଶ୍ବର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ । ବ୍ୟକ୍ତିଗତ କାରଣ ଦର୍ଶାଇ ହଠାତ ଦଳର ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ରବୀନ୍ଦ୍ର । ରାଜ୍ୟସଭା ନିର୍ବାଚନ ଓ ସୁବାସିନୀଙ୍କୁ ନେଇ ସୁବାସିନୀଙ୍କୁ ନେଇ ଚାରିଆଡ଼େ ଯେଉଁ ଚର୍ଚା ହେଉଥିଲା ରବୀନ୍ଦ୍ରଙ୍କ ଇସ୍ତଫା ସେ ସନ୍ଦହକୁ ଆହୁରି ଘନୀଭୁତ କରିଛି । ବାଲେଶ୍ବର ଜିଲ୍ଲାର ସଭାପତି ଥିବା ରବୀନ୍ଦ୍ରଙ୍କ ରାଜ୍ୟ ରାଜନୀତିରେ ବେଶ ପତିଆରା ରହିଛି । ଦଳର ଖୋର୍ଦ୍ଦା ଜିଲ୍ଲା ଦାୟିତ୍ବରେ ମଧ୍ୟ ରହିଥିଲେ । ହେଲେ ଗତ ନିର୍ବାଚନରେ ରବୀନ୍ଦ୍ରଙ୍କୁ ଟିକେଟ ମଳିନଥିବାରୁ ଅସନ୍ତୁଷ୍ଟ ଥିଲେ ରବୀନ୍ଦ୍ର । ସେବେଠୁ ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । ବାଲେଶ୍ବର ବିଜେଡିରେ ଫାଟ ସୃଷ୍ଟି ନେଇ ଚର୍ଚା ଲାଗି ରହିଥିଲା । ରାଜ୍ୟସଭା ନିର୍ବାଚନକୁ ନେଇ ଦଳ ଘଡ଼ିସନ୍ଧି ମୁହୁର୍ତ୍ତରେ ଗତି କରୁଥିବାବେଳ ରବୀନ୍ଦ୍ରଙ୍କ ଇସ୍ତଫା ବିଜେଡି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି ।
ରବୀନ୍ଦ୍ରଙ୍କ ଇସ୍ତଫାକୁ ନେଇ ନାନା ଆଲୋଚନା । ନବୀନଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ସିନା ବ୍ୟକ୍ତିଗତ କାରଣ ଲେଖିଛନ୍ତି ରବୀନ୍ଦ୍ର । ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜନୀତି ସମୀକ୍ଷକ । ଚର୍ଚା ହେଉଛି ରବୀନ୍ଦ୍ରଙ୍କ ଇସ୍ତଫା ପଛରେ ବିଜେଡିର ଜଣେ ଉପକୂଳିଆ ନେତାଙ୍କ ପ୍ରଚ୍ଛନ ହାତ ରହିଛି । ରବୀନ୍ଦ୍ରଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ । ଦୀର୍ଘ ଦଶନ୍ଧିରୁ ଅଧିକ ହେବ ଦଳର ସବୁ କଥା ବୁଝୁଥିବା ଏହି ନେତାଙ୍କୁ ବିଜେଡି ସାଇଡ କରୁଥିବା ନେଇ ଗଣମାଧ୍ୟମରେ ଚର୍ଚା ଚାଲିଛି । ତେଣୁ ରବୀନ୍ଦ୍ରଙ୍କ ଇସ୍ତଫା ସୁଚିନ୍ତିତ ଓ ଯୋଜନାବଦ୍ଧ ବୋଲି ବାଲେଶ୍ବର ରାଜନୀତିକୁ ସମୀକ୍ଷା କରୁଥିବା କିଛି ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜୀବଙ୍କ ମତ । ଅନ୍ୟପଟେ ରବୀନ୍ଦ୍ରଙ୍କ ଦେଶ ତଥା ଦେଶ ବାହାରେ ବଡ଼ ବ୍ୟବସାୟ ଚାଲିଛି. ତେଣୁ ବ୍ୟବସାୟିକ ଗଡ଼କୁ ସୁରକ୍ଷିତ ରଖିବାକୁ ରବୀନ୍ଦ୍ରଙ୍କ ପୂର୍ବ ପ୍ଲାନ ।
ଇସ୍ତାଫାକୁ ନେଇ ରବୀନ୍ଦ୍ର ଯେତିକି ଚର୍ଚାରେ ତାଠୁ ବେଶୀ ଚର୍ଚାରେ ତାଙ୍କ ପତ୍ନୀ ତଥା ବସ୍ତା ବିଧାୟିକା ସୁବାସିନୀ ଜେନା । ରାଜ୍ୟସଭାରେ କ୍ରସ ଭୋଟିଂ ନେଇ ଚର୍ଚା ଚାଲିଥିବାବେଳେ ସୋସିଆଲ ମିଡିଆ ଓ ଗଣମାଧ୍ୟରେ ସୁବାସିନୀଙ୍କ ଭୂମିକାକୁ ନେଇ ସନ୍ଦେହ କରାଯାଇଥିଲା । ଏମତିକି ସୁବାସିନୀ ନିଜେ କହିଥିଲେ ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ । ଏବେ ସ୍ବାମୀଙ୍କ ଇସ୍ତଫା, ଚର୍ଚାରେ ସ୍ତ୍ରୀ ସୁବାସିନୀ । ଦଳର ନିଷ୍ପତ୍ତି ସହ ରହିବେ ନାଁ ଆଉ କଣ କରିବେ ତାକୁ ନେଇ ନାନା ଆଲୋଚନା । ବିଜେଡି ସୁପ୍ରିମୋ ନବୀନଙ୍କ ନିଷ୍ପତ୍ତିକୁ ସର୍ବମାନ୍ୟ ବୋଲି ଭାବୁ ଥିବା ନେତା ନବୀନଙ୍କ ଘୋଷଣା ପରେ ନେତା କହୁଛନ୍ତି ସଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ । ପୂର୍ବରୁ ନବୀନଙ୍କ ନିଷ୍ପତ୍ତିକୁ ବିରୋଧ କରି ଦଳରୁ ବିଦା ହୋଇଛନ୍ତି ପ୍ରଭାତ ବିଶ୍ବାଳ । ପ୍ରଭାତ ବିଦା ହେଲା ପରେ ପ୍ରଭାତଙ୍କ ପୁଅ ସୌଭିକ ବିଶ୍ବାଳଙ୍କ ଭୂମିକାକୁ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସୁବାସିନୀଙ୍କୁ ନେଇ ଯେଉଁ ଚର୍ଚା ଚାଲିଥିଲା ତା ଉପରେ ନଜର ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।
କେବଳ ରବୀନ୍ଦ୍ର ନୁହନ୍ତି, ବିଜେଡ଼ି ରୁ ଇସ୍ତଫା ଦେଇଛନ୍ତି ବିଜେଡ଼ି ସଭାପତି ସୀମନ ଦାସ ମହାପାତ୍ର । ଇସ୍ତଫା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଘଟଣା ବିଜେଡିରେ କମ୍ପନ ସୃଷ୍ଟି କରିଛି । ରାଜ୍ୟସଭା ପାଇଁ କଂଗ୍ରେସ ସହ ମିଶି ବିଜେଡି ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ କମନ କ୍ୟାଣ୍ଡେଟ ଘୋଷଣା କରିଥିବାବେଳେ ଏବେ ଦଳ ଛାଡ଼ୁଛନ୍ତି ନେତା । କମନ କ୍ୟାଣ୍ଡେଟ କାର୍ଡ ଖେଳି ରାଜନୀତିରେ ଆଲୋଡନ ସୃଷ୍ଟି କରିଥିବା ନବୀନଙ୍କ ପାଇଁ ଦଳକୁ ସଂଗଠିତ କରି ରଖିବା ଚ୍ୟାଲେଞ୍ଜ ବୋଲି ଦଳରୁ ବିଦା ହୋଇଥିବା କିଛି ବରିଷ୍ଠ, ଅଭିଜ୍ଞ ନେତା, ସାମ୍ବାଦିକ, ରାଜନୀତି ବିଶାରଦଙ୍କ ମତ |






