ଚତୁର୍ଥ ଆସନକୁ ନେଇ ତିନି ଦଳର ସ୍ବତନ୍ତ୍ର ରଣନୀତି, ସନ୍ଦେହ ଭିତରେ ସମ୍ମାନ ରକ୍ଷା କସରତ…

ଚତୁର୍ଥ ଆସନକୁ ନେଇ ତିନି ଦଳର ସ୍ବତନ୍ତ୍ର ରଣନୀତି। ସନ୍ଦେହ ଭିତରେ ସମ୍ମାନ ରକ୍ଷା କସରତ..

ଭୁବନେଶ୍ୱର: ପାଖଉଛି ରାଜ୍ୟସଭା ନିର୍ବାଚନ, ଉଷ୍ମ ହେଉଛି ରାଜ୍ୟ ରାଜନୀତି । ବିଜେପି, ବିଜେଡି, କଂଗ୍ରେସ ଆପଣାଇଛନ୍ତି ସ୍ବତନ୍ତ୍ର ରଣନୀତି । ବିଧାୟକଙ୍କୁ ଏକାଠି ରଖିବାକୁ ଯୁଦ୍ଧ ସ୍ଥିତି । ଦଳୀୟ ରାଜନୀତିରେ ଜରୁରୀ ସ୍ଥିତି । ସମ୍ମାନ ରକ୍ଷା ପାଇଁ ନାନା ଉପାୟ । ଭୁବନେଶ୍ବରଠୁ ବେଙ୍ଗାଲୁରୁ ସବୁଠି ଓଡ଼ିଶା ରାଜ୍ୟସଭା ନିର୍ବାଚନକୁ ସରଗରମ ଆଲୋଚନା । ଶୁକ୍ରବାର ନବୀନ ନିବାସରେ ହୋଇଥିଲା ବିଧାୟକଙ୍କ ବୈଠକ । ରାଜ୍ୟସଭା ନିର୍ବାଚନରେ କଣ କରିବେ, କଣ କରିବେ ନାହିଁ ସେ ବିଷୟରେ ଦିଆଯାଇଥିଲା ତାଲିମ । କମନ କ୍ୟାଣ୍ଡେଟକୁ ଜିତାଇବାକୁ ହୋଇଛି ରଣକୌଶଳ । ତେବେ ବୈଠକରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଜୟଦେବ ବିଧାୟକ ନବ ମଲ୍ଲିକ ଓ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ ଅନୁପସ୍ଥିତକୁ ନେଇ ଚର୍ଚା । ହେଲେ ନେତା ଏହାକୁ ହାଲକା ଭାବେ ଏଡ଼ାଇ ଦେଇଛନ୍ତି । ଅସୁସ୍ଥତା ପାଇଁ ମନୋହର ରନ୍ଧାରି ଆସି ପାରିନଥିବା ବେଳେ ନବ ମଲ୍ଲିକ ଶନିବାର ଆସିବେ ବୋଲି କହିଛନ୍ତି । ତେବେ ବିଜେପି ଲୋଲୁପ ଦୃଷ୍ଟି ଏଡ଼ାଇବାକୁ କଂଗ୍ରେସ ନିଜର ରଣନୀତି ଆପଣାଇଛି ବୋଲି  ବିଜେଡି ବିଧାୟକ କହିଛନ୍ତି ।  ୧୫ ତାରିଖ ରବିବାର ବିଧାୟକ ଦଳ ବୈଠକ ଡକାଇଛନ୍ତି ନବୀନ । ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ରହିବାକୁ ଶାସକଦଳ ବି ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛି।

ନିଜ ଦଳର ବିଧାୟକଙ୍କ ପାଇଁ ହ୍ବିପ ଜାରି କରିଛି ଶାସକ ବିଜେପି । ହ୍ବିପ ଜାରି କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ । ରାଜ୍ୟସଭା ନିର୍ବାଚନରେ ମାର୍ଚ ୧୬ରେ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି । ନିୟମ ଅନୁସାରେ ସମସ୍ତ ବିଧାୟକ ବିଧାନସଭାରେ ଉପସ୍ଥିତ ରହି ଭୋଟ ଦେବାକୁ ହ୍ବିପ ଜାରି ହୋଇଛି । ଦଳର ଦୁଇ ପ୍ରାର୍ଥୀ ଓ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଜିତିବା ନେଇ ନେତା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ବେଙ୍ଗାଳୁରୁରେ କଂଗ୍ରେସର ରୁଦ୍ଧଦ୍ବାର ବୈଠକ । ବିଧାୟକ  ପ୍ରଫୁଲ୍ଲ ପ୍ରଧାନ, ସତ୍ୟଜିତ ଗମାଙ୍ଗୋ, ରାଜନ ଏକ୍କା, ପବିତ୍ର ସାଉଁତା, ଅଶୋକ ଦାସ, ନୀଳମାଧବ ହିକ୍କା, କାଡ୍ରାକା ଆପାଲା ସ୍ବାମୀ, ମଙ୍ଗୁ ଖିଲଙ୍କ ସହ ବେଙ୍ଗାଳୁରରେ ପିପିସି ସଭାପତି ଭକ୍ତ ଚରଣ ଦାସ । ବିଧାୟକଙ୍କ ସହ ଆଲୋଚନା କରିଛନ୍ତି କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଶିବକୁମାର । ଯଦିଓ ଏହାକୁ ନେଇ ଦଳରେ ଅସନ୍ତୋଷ ରହିଛି ତଥାପି ଘୋଡ଼ା ବେପାର ଏଡ଼ାଇବାକୁ ଭକ୍ତ ଉଦ୍ୟମ ଚଳାଇଥିବା ଚର୍ଚା ।

ରାଜନୀତି ବିଶାରଦଙ୍କ ମତ ତିନି ଦଳରେ ଏବେ ଅବିଶ୍ବାସର ବାତାବରଣ । ସବୁ ଦଳରେ ବଢି଼ଛି ସନ୍ଦେହ । କିଛି ବିଧାୟକଙ୍କୁ ବେଙ୍ଗାଳୁର ନେଇ କଂଗ୍ରେସ ଦଳରେ ଲୁକାୟିତ ସନ୍ଦେହକୁ ପିସିସି ସଭାପତି ଲୋକଲୋଚନକୁ ଆଣିଥିବା ରାଜନୀତି ସମୀକ୍ଷକ କହିଛନ୍ତି । ଏହାକୁ ଦଳର ବିଧାୟକ ନାପସନ୍ଦ କରଥିବା ଦେଖାଯାଇଛି । ସେପଟେ ବିଜେଡି ବୈଠକରେ ତିନି ବିଧାୟକଙ୍କ ଅନୁପସ୍ଥିତକୁ ନେଇ ଚର୍ଚା ହେଉଛି । ତେବେ ସନ୍ଦେହ ଭିତରେ ତିନି ଦଳ ସମ୍ମାନ ରକ୍ଷା ପାଇଁ ଲାଗି ପଡ଼ିଥିବା ରାଜନୀତି ବିଶାରଦ କହିଛନ୍ତି

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories