ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ‘ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’କୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଉଗ୍ର ରୂପ ନେଇଛି । ପ୍ରଭାତ ବିଶ୍ୱାଳଙ୍କ ବିସ୍ଫୋରକ ବୟାନ ପରେ ଏବେ ସାମ୍ନାକୁ ଆସିଛି ଶ୍ରୀମୟୀ ମିଶ୍ରଙ୍କ ଏକ ସାଂଘାତିକ ଫେସବୁକ୍ ପୋଷ୍ଟ, ଯାହା ଶାସକ ଦଳର ଆଭ୍ୟନ୍ତରୀଣ ସମୀକରଣକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି । ନିଜ ପୋଷ୍ଟରେ ଶ୍ରୀମୟୀ ସିଧାସଳଖ ‘ଧୋକା’ ଶବ୍ଦ ବ୍ୟବହାର କରିବା ସହ ଦିଲ୍ଲୀରେ ଗଠିତ ଏହି ଫାଉଣ୍ଡେସନ୍ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ବିଜେଡିର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଏହି ଫାଉଣ୍ଡେସନ୍ ନାଁରେ ସ୍ଥାନାନ୍ତର କରି ମାଲିକାନା ହାତେଇବା ପାଇଁ ଏକ ଗୁପ୍ତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ଏହି ପୋଷ୍ଟ ମାଧ୍ୟମରେ ସେ ପରୋକ୍ଷରେ ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଏବଂ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ପ୍ରାର୍ଥୀ ଚୟନ ଉପରେ ପ୍ରଶ୍ନ ଉଠାଇ ଶ୍ରୀମୟୀ କଟାକ୍ଷ କରିଛନ୍ତି ଯେ, କେଉଁ କାରଣରୁ ଜଣେ ‘ଭଣ୍ଡ ବସ୍ କଣ୍ଡକ୍ଟର’ଙ୍କୁ ପ୍ରାର୍ଥୀ କରାଗଲା ତାହା ଏବେ ସ୍ପଷ୍ଟ ହେବାରେ ଲାଗିଛି । ସବୁଠାରୁ ବଡ଼ ପ୍ରଶ୍ନ ସେ ଦଳୀୟ ନେତାମାନଙ୍କୁ ପଚାରିଛନ୍ତି ଯେ, ଲୋକଙ୍କ ଦଳ ବୋଲି ଡିଣ୍ଡିମ ପିଟୁଥିବା ବିଜେଡିର ନିଜ ନେତାମାନଙ୍କୁ ଏହି ଫାଉଣ୍ଡେସନ୍ ବିଷୟରେ ଜଣା ଅଛି କି? କେହି ବିଜୁପ୍ରେମୀ ନେତା ଏଥିରେ ଟ୍ରଷ୍ଟି ହେବାର ଯୋଗ୍ୟତା ରଖୁନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
କେବଳ ଏତିକି ନୁହେଁ, ଶ୍ରୀମୟୀଙ୍କ ପୋଷ୍ଟର ଶେଷ ଭାଗରେ ଥିବା ବାର୍ତ୍ତା ବିଜେଡିର ପୁରୁଖା ନେତାଙ୍କ ପାଇଁ ଏକ ବଡ଼ ଚେତାବନୀ ସଦୃଶ । ସେ ଲେଖିଛନ୍ତି ଯେ, ନେତାମାନେ ଏବେ କେବଳ ଟେଣ୍ଟ ବାନ୍ଧିବା ପାଇଁ ପ୍ରସ୍ତୁତ ରୁହନ୍ତୁ । କାରଣ ଯେଉଁମାନଙ୍କ ପାଖରେ ପାଣ୍ଠି ରହିବ, ସେମାନେ ହିଁ ଆଗକୁ ସମସ୍ତଙ୍କୁ ନଚେଇବେ ଏବଂ ବାକି ନେତାମାନେ କେବଳ ‘ସାର୍ ସାର୍’ କହି ରହିଯିବେ । ଏହି ବୟାନ ସିଧାସଳଖ କ୍ଷମତା କେନ୍ଦ୍ରରେ ଥିବା ପ୍ରଭାବଶାଳୀ ଗୋଷ୍ଠୀ ଆଡ଼କୁ ଇସାରା କରୁଛି । ଗୋଟିଏ ପଟେ ପ୍ରଭାତ ବିଶ୍ୱାଳ ଓ ସୌଭିକଙ୍କ ଅସନ୍ତୋଷ ଏବଂ ଅନ୍ୟପଟେ ଶ୍ରୀମୟୀଙ୍କ ଏହି ବିସ୍ଫୋରକ ପୋଷ୍ଟ… ଏସବୁ ସୂଚାଉଛି ଯେ ବିଜେଡି ଭିତରେ କିଛି ଠିକ୍ ଚାଲିନାହିଁ । ଏହି ନୂଆ ‘ଫାଉଣ୍ଡେସନ୍’ ବିବାଦ ଦଳ ଭିତରେ କେତେ ବଡ଼ ବିସ୍ଫୋରଣ ଘଟାଉଛି, ତାହା ଦେଖିବାକୁ ବାକି ରହିଲା ।






