ଝାରସୁଗୁଡ଼ା: ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ଓ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଜରୁରୀ। ଶନିବାର ଅପରାହ୍ନରେ ଝାରସୁଗୁଡ଼ା ପୁରୁଣାବସ୍ତିସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ମତବ୍ୟକ୍ତ କରିଛନ୍ତି।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀମାନେ ହିଁ ଦେଶର ଭବିଷ୍ୟତ ଗଢ଼ିବେ। ତେଣୁ ସେମାନଙ୍କ ମଧ୍ୟରେ ସକାରାତ୍ମକ ମାନସିକତା ସୃଷ୍ଟି କରିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। କାରଣ ଜଣେ ଶିକ୍ଷକ ହିଁ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଜ୍ଞାନର ବୀଜ ବପନ କରିପାରିବେ। ଏହି ଅବସରରେ ମନ୍ତ୍ରୀ ଓ ବିଧାୟକ ଟଙ୍କଧର ତ୍ରିପାଠୀ ବିଦ୍ୟାଳୟର ନୂତନ ଭାବେ ନିର୍ମିତ ଶ୍ରେଣୀ ଗୃହ (ନୂତନ କୋଠରୀ) ର ଶୁଭ ଉଦଘାଟନ କରିବା ସହ ବିଦ୍ୟାଳୟର ବିକାଶରେ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୁରୁଣାବସ୍ତି ହାଇସ୍କୁଲ ଅଞ୍ଚଳର ଏକ ପୁରାତନ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏଠାରେ ଥିବା ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମିର ଅଭାବ ସମ୍ପର୍କରେ ସେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରି ପ୍ରୋତ୍ସାହିତ କରାଯାଇଥିଲା।
ସଭା ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ସହିତ କେଦାର ପଟେଲଙ୍କ ଦ୍ୱାରା ଉଚ୍ଚକୋଟୀର ସମ୍ବଲପୁରୀ କମେଡି ଶୋ’, ‘ହିଟ୍ ବୟସ୍’ ଅନୁଷ୍ଠାନ ପକ୍ଷରୁ ନୃତ୍ୟ, ଆତ୍ମରକ୍ଷା ପାଇଁ ‘ସେଲ୍ଫ ସୁରକ୍ଷା’ ଡେମୋ ଏବଂ ଏକ ଚିତ୍ତାକର୍ଷକ ମେଜିକ୍ ଶୋ’ ଆୟୋଜିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର କଲେଜର ପୂର୍ବତନ ଅଧ୍ୟାପକ ବିଶ୍ୱଜିତ ଖମାରି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ାତିଆ, ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ଅଶୋକ ମହାପାତ୍ର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ଦେବଶ୍ରୀ ପିଙ୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଏହି ଉତ୍ସବରେ ସାମିଲ ହୋଇଥିଲେ।








