ଚଳିତ ବର୍ଷ ସୁନା ଓ ରୁପା ଦରରେ ଅସ୍ୱାଭାବିକ ବୃଦ୍ଧି ପରିଲକ୍ଷିତ ହେଉଛି। ବିଗତ ତିନି ସପ୍ତାହ ମଧ୍ୟରେ ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୭୦୦୦ ଟଙ୍କା ମହଙ୍ଗା ହୋଇଯାଇଛି। ସେହିପରି, ୨୨ କ୍ୟାରେଟ୍ ସୁନା ଦରରେ ମଧ୍ୟ ୬୩୦୦ ଟଙ୍କାର ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ତିନି ସପ୍ତାହ ପୂର୍ବରୁ ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ୍ ସୁନା ଦର ପ୍ରାୟ ୧,୨୭,୦୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧,୧୬,୪୫୦ ଟଙ୍କା ରହିଥିଲା। ଅବଶ୍ୟ, ଶୁକ୍ରବାର ତୁଳନାରେ ଶନିବାର ସୁନା ଦରରେ ସାମାନ୍ୟ ହ୍ରାସ ଘଟିଥିବା ଜଣାପଡ଼ିଛି।
ତେବେ, ସାଧାରଣ ଲୋକ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ରୁପା ଦରରେ ବୃଦ୍ଧି ସୁନାକୁ ବି ବଳିଯାଇଛି। ଗତ ୩ ସପ୍ତାହ ମଧ୍ୟରେ କିଲୋଗ୍ରାମ ପିଛା ରୁପା ଦରରେ ୩୯ ହଜାର ଟଙ୍କାର ବୃଦ୍ଧି ଘଟିଛି। ଶନିବାର ଭୁବନେଶ୍ୱର ବଜାରରେ ରୁପା ଦର ୨ ଲକ୍ଷ ୧୦ ହଜାର ଟଙ୍କା ଛୁଇଁଛି। ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ (IBJA)ର ସୂଚନା ଅନୁଯାୟୀ, ଚଳିତ ମାସ ୫ ତାରିଖରେ ଦେଶରେ ୧ କିଲୋଗ୍ରାମ ରୁପା ଦର ୧,୭୮,୨୧୦ ଟଙ୍କା ଥିଲା, ଯାହା ଚଳିତ ସପ୍ତାହରେ ଆହୁରି ୧୬,୯୭୦ ଟଙ୍କା ବୃଦ୍ଧି ପାଇଛି। ସେହିଭଳି, ପୂର୍ବ ସପ୍ତାହର ଶେଷ କାରବାର ଦିବସରେ ଦେଶରେ ୧୦ ଗ୍ରାମ ପିଛା ସୁନା ଦର ୧,୨୮,୫୯୨ ଟଙ୍କା ଥିଲା, ଯାହା ଶୁକ୍ରବାର ସୁଦ୍ଧା ୧,୩୨,୭୧୦ ଟଙ୍କାରେ ପହଞ୍ଚିଛି।
ବିଶେଷଜ୍ଞଙ୍କ ମତରେ, ଅନ୍ତର୍ଜାତୀୟ ବଜାରରେ ଡଲାର ଦୁର୍ବଳ ହେବା, ରୁଷ-ୟୁକ୍ରେନ ଯୁଦ୍ଧ ଭଳି ଭୂରାଜନୈତିକ ଅନିଶ୍ଚିତତା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ସୁନା କିଣିବା ଫଳରେ ଏହି ଦାମୀ ଧାତୁର ଦର ବଢୁଛି। ଅନ୍ୟପକ୍ଷରେ, ରୁପାକୁ କେବଳ ଗହଣା ଭାବେ ବ୍ୟବହାର କରାନଯାଇ ସୋଲାର, ଇଲେକ୍ଟ୍ରୋନିକ୍ସ ଏବଂ ଇଭି (EV) ଶିଳ୍ପରେ ଏହାର ବ୍ୟବହାର ବଢୁଛି। ଶିଳ୍ପ କ୍ଷେତ୍ରରେ ଚାହିଦା ବୃଦ୍ଧି ଏବଂ ଅନ୍ୟ କେତେକ କାରଣରୁ ବଜାରରେ ରୁପା ଦରରେ ଅହେତୁକ ବୃଦ୍ଧି ଘଟୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।








