ରାଜ୍ୟ ରାଜନୀତିରେ ଅଜାତଶତ୍ରୁ ଅମାତ, ସାଧାରଣ ବ୍ୟକ୍ତିତ୍ୱ ଅସାଧାରଣ ପ୍ରତିଭା

ରାଜ୍ୟ ରାଜନୀତିରେ ଅଜାତଶତ୍ରୁ ଅମାତ, ସାଧାରଣ ବ୍ୟକ୍ତିତ୍ୱ ଅସାଧାରଣ ପ୍ରତିଭା

ବୌଦ୍ଧ(ସର୍ବେଶ୍ୱର କ୍ଷେତି): ପୂର୍ବତନ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓଡ଼ିଶା ରାଜ୍ୟ ରାଜନୀତିରେ ଜଣେ ଉଜ୍ଜ୍ୱଳ ତାରକା l ରାଜନୀତି କ୍ଷେତ୍ରରେ ଜଣେ ବିରଳ ବ୍ୟକ୍ତିତ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ l ପ୍ରଦୀପଙ୍କ ସାଧାରଣ ବ୍ୟକ୍ତିତ୍ୱ ତଥା ଅସାଧାରଣ ପ୍ରତିଭା ସମସ୍ତଙ୍କୁ ଅନୁପ୍ରାଣୀତ କରିଥାଏ l ରାଜନୈତିକ କ୍ଷେତ୍ରରେ ଯୁବକମାନଙ୍କୁ ଦାୟିତ୍ୱ ଦେଇ ସଂଗଠନ କାର୍ଯ୍ୟକୁ ବୃଦ୍ଧି କରିବାର କଳା କୌଶଳ ତାଙ୍କୁ ବେଶ ଜଣା l ସେଥିପାଇଁ ତ ସେ ତରୁଣ ହୃଦୟର ସମ୍ରାଟ ଭାବେ ବେଶ ଚର୍ଚ୍ଚିତ l ଆଇନଜୀବି ଭାବରେ କ୍ୟାରିଅର ଆରମ୍ଭ କରିଥିବା ପ୍ରଦୀପ ଜଣେ ଚର୍ଚ୍ଚିତ ରାଜନୀତିଜ୍ଞ ଭାବରେ ବେଶ ସଫଳ l ୧୯୭୬ ମସିହାରେ ବ୍ରହ୍ମପୁରସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରୁ ଏଲ.ଏଲ.ବି ପାସ କରିବା ପରେ ବୌଦ୍ଧ ଜିଲ୍ଲା ନ୍ୟାୟାଳୟରେ ଆଇନଜୀବି ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ l ୧୯୭୮ ମସିହାରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ପ୍ରଦୀପ ପ୍ରଥମେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଭାବେ ନିର୍ବାଚିତ ହୋଇ ୪ ବର୍ଷ କାର୍ଯ୍ୟ ନିର୍ବାହ କରିଥିବା ବେଳେ ୧୯୯୦ ମସିହାରେ ବୌଦ୍ଧ ସେଣ୍ଟ୍ରାଲ କୋ- ଅପରେଟିଭ ବ୍ୟାଙ୍କର ସଭାପତି ଭାବେ ୩ବର୍ଷ ୬ ମାସ କାର୍ଯ୍ୟ କରିଥିଲେ l

୧୯୯୭ ମସିହାରେ ଜିଲ୍ଲା ପରିଷଦ ସଭ୍ୟ ଭାବରେ ୩ ବର୍ଷ କାର୍ଯ୍ୟ କରିଥିଲେ l ୨୦୦୦ ମସିହାରେ ଜିଲ୍ଲା ବାର ଆସୋସିଏସନର ସଭାପତି ମଧ୍ୟ ଥିଲେ l ୨୦୦୦ ମସିହାରେ ସାଧାରଣ ନିର୍ବାଚନରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଭାବରେ (୨୦୦୦- ୨୦୦୪) ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜେଡ଼ି ଦଳରେ ଯୋଗ ଦେଇଥିବା ପ୍ରଦୀପ ଲଗାତର ଭାବେ (୨୦୦୪- ୨୦୦୯), (୨୦୦୯- ୨୦୧୪), (୨୦୧୪- ୨୦୧୯) ଏବଂ (୨୦୧୯- ୨୦୨୪) ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ l ରାଜ୍ୟ ସରକାରଙ୍କ ୨୦୦୮- ୨୦୦୯ ମସିହାରେ ଖଣି ଏବଂ ଇସ୍ପାତ ବିଭାଗ ମନ୍ତ୍ରୀ, ୨୦୦୯- ୧୪ ବାଚସ୍ପତି, ୨୦୧୪- ୧୭ ଅର୍ଥମନ୍ତ୍ରୀ, ୨୦୧୪- ୧୭ ସାଧାରଣ ଉଦ୍ୟୋଗ ମନ୍ତ୍ରୀ, ୨୦୧୬- ୧୭ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ୨୦୨୨- ୨୪ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ, ୨୦୨୨- ୨୪ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ, ୨୦୨୨-୨୪ ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗ ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି l

୧୯୭୮ ମସିହା ଠାରୁ ରାଜନୀତି ରଣକ୍ଷେତ୍ରରେ ଅବତୀର୍ଣ୍ଣ ଅପରାଜିତ ଯୋଦ୍ଧା ପ୍ରଦୀପଙ୍କୁ ୨୦୨୪ ମସିହା ସାଧାରଣ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଲା l ପରାଜୟ ପରେ ବର୍ତ୍ତମାନ ଜିଲ୍ଲା ବିଜେଡ଼ି ସଭାପତି ଦାୟିତ୍ୱ ତୁଲାଇବା ସହ ଅସୁସ୍ଥତା ସତ୍ତ୍ୱେ ନିଜକୁ ଜନସେବାରେ ନିୟୋଜିତ ରଖିଛନ୍ତି l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories