ହରଭଙ୍ଗା/ବୌଦ୍ଧ,(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକସ୍ଥିତ ମାଁ ଭୈରବୀଙ୍କ ତନ୍ତ୍ର ଉପାସନା ପୀଠ ବେଶ ପରିଚିତ l ଭୈରବୀ ମନ୍ଦିରର ଇତିହାସ ଟିକେ ଜଟିଳ l ଏହା କେବେଠାରୁ ଥିଲା ତାହା ନିର୍ଦ୍ଧିଷ୍ଟ ଭାବରେ ଜଣାନାହିଁ l ଏହା ଏକ ପ୍ରାଚୀନ ତନ୍ତ୍ର ପୀଠ l ମାଁ ଭୈରବୀ ବୌଦ୍ଧ ରାଜକୀୟ ପରିବାରର ଇଷ୍ଟଦେବୀ ଥିଲେ l ବର୍ତ୍ତମାନ ମନ୍ଦିରଟିକୁ ବାଉଁଶ ଏବଂ ଆମ୍ବ ଗଛ ଘେରି ରହିଛି l ମାଁ ଭୈରବୀଙ୍କ ଉପାସନା ପୀଠଟି ଦୁର୍ଗା ପୂଜା, ଶିବରାତ୍ରି ଏବଂ ଅନ୍ୟାନ୍ୟ ପାର୍ବପର୍ବାଣୀରେ ଲୋକଙ୍କୁ ବେଶ ଆକର୍ଷିତ କରିଥାଏ l ମାଁ ଭୈରବୀ ପୁରୁଣାକଟକରେ ପ୍ରାଚୀନ କାଳରୁ ପୂଜା ପାଇ ଆସୁଛନ୍ତି l ଯାହାକୁ ଏକ ଶକ୍ତି ପୀଠ ଭାବରେ ବିବେଚନା କରାଯାଏ l ପ୍ରଥମେ ଏକ ଗୁମ୍ଫା ଓ ବାଉଁଶ ଜଙ୍ଗଲରେ ମାଁ ଭୈରବୀଙ୍କ ପୂଜା ରାଜା ସମନ୍ତ ସାରଙ୍ଗଧର ମହାପାତ୍ରଙ୍କ ଦ୍ୱାର ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ l
ଏହା ଏକ ପ୍ରାଚୀନ ତନ୍ତ୍ର ପୀଠ, ଯାହା ମଧ୍ୟରେ ତନ୍ତ୍ର, ଯନ୍ତ୍ର ଏବଂ ମନ୍ତ୍ର ପୂଜା କରାଯାଏ l ଦଶହରା ସମୟରେ ୧୬ ଦିନ ଧରି ଦୁର୍ଗା ପୂଜା ପାଳନ କରାଯାଏ l ମନ୍ଦିରଟି ବାଉଁଶ ଏବଂ ଆମ୍ବ ଗଛ ମଧ୍ୟରେ ରହିଛି ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ l ବର୍ତ୍ତମାନ ମନ୍ଦିରର ପରିସର ସମ୍ପ୍ରସାରିତ କରାଯାଇଛି l
ମାଁ ଭୈରବୀଙ୍କ ତନ୍ତ୍ର ଉପାସନା ପୀଠକୁ ଯିବା ପାଇଁ ସଡ଼କ ପଥରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଭୁବନେଶ୍ୱର- ବୌଦ୍ଧ ଭାୟା ନୟାଗଡ଼, ପୁରୁଣାକଟକ- ୨୦୨ କି.ମି କିମ୍ବା ଭୁବନେଶ୍ୱର- ବୌଦ୍ଧ ଭାୟା ଅନୁଗୋଳ, ଆଠମଲ୍ଲିକ- ୨୧୨ କି.ମି ଯିବା ପରେ ସେଠାରୁ ପୁରୁଣାକଟକକୁ ଯିବା ପାଇଁ ୨୨ କି.ମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ l ଯଦି ରେଳପଥରେ ଯିବା ପାଇଁ ଚାହିଁବେ ତେବେ ଭୁବନେଶ୍ୱର- ବୌଦ୍ଧ ଭାୟା ବଲାଙ୍ଗୀର, ପୁରୁଣାକଟକ- ୫୧୮ କି.ମି ପଥ ଅତିକ୍ରମ କରିବା ପରେ ରେଳ ଷ୍ଟେସନରେ ପହଞ୍ଚି ସେଠାରୁ ଅଟୋରେ ବସି ୨ କି.ମି ଗଲେ ମାଁ ଭୈରବୀଙ୍କ ତନ୍ତ୍ର ଉପାସନା ପୀଠରେ ପହଞ୍ଚିପାରିବେ l







