ଶୀତ ଅଧିବେଶନ ପୂର୍ବରୁ ତାତିଲେ ଅଙ୍ଗନୱାଡ଼ି କର୍ମୀ: ୧୧-ଦଫା ଦାବିରେ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି

ଶୀତ ଅଧିବେଶନ ପୂର୍ବରୁ ତାତିଲେ ଅଙ୍ଗନୱାଡ଼ି କର୍ମୀ

ଭୁବନେଶ୍ବର: ଆସନ୍ତା ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଦୋହଲି ଯାଇଛି। ସାରା ଓଡ଼ିଶାରୁ ଆସିଥିବା ହଜାର ହଜାର ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଆଜି ଲୋୟର ପିଏମଜିରେ ଏକାଠି ହୋଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍’ ନେତୃତ୍ୱରେ ଏହି କର୍ମୀମାନେ ନିଜର ୧୧-ଦଫା ଦାବି ପୂରଣ ପାଇଁ ଦୃଢ଼ ସ୍ୱର ଉଠାଇଛନ୍ତି।

କର୍ମୀମାନଙ୍କ ଅଭିଯୋଗ ହେଉଛି ଯେ ସେମାନଙ୍କ କାର୍ଯ୍ୟଭାର ଲଗାତାର ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ ଦରମା ବୃଦ୍ଧି କରାଯାଉନାହିଁ। ସେମାନଙ୍କୁ ଆବଶ୍ୟକୀୟ ସାମାଜିକ ସୁରକ୍ଷା କିମ୍ବା ଚାକିରିର ସ୍ଥାୟିତ୍ୱ ମିଳୁନାହିଁ। ବିଶେଷ କରି, ଅଧିକାଂଶ କର୍ମୀଙ୍କ ପାଖରେ ମୋବାଇଲ୍ ନ ଥିଲେ ମଧ୍ୟ ବିଭିନ୍ନ ଡିଜିଟାଲ୍ ଆପ୍ ମାଧ୍ୟମରେ କାମ କରିବାକୁ ପଡ଼ୁଛି, ଯାହା ସେମାନଙ୍କ ଉପରେ ଅଧିକ ଚାପ ପକାଉଛି।

୧୧-ଦଫା ଦାବିର ମୁଖ୍ୟ ବିଷୟବସ୍ତୁ:

• ଆଇସିଡିଏସ୍ ପ୍ରକଳ୍ପକୁ ସ୍ଥାୟୀ କରାଯିବା ସହ ଅଙ୍ଗନବାଡ଼ି କର୍ମୀ ଓ ସହକର୍ମୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ।

• ଅଙ୍ଗନବାଡ଼ି କର୍ମୀଙ୍କୁ ମାସିକ ୧୮,୦୦୦ ଟଙ୍କା ଏବଂ ସହକର୍ମୀଙ୍କୁ ୯,୦୦୦ ଟଙ୍କା ଦରମା ପ୍ରଦାନ କରାଯାଉ।

• ଯୋଗ୍ୟତା ଭିତ୍ତିରେ ଅଙ୍ଗନବାଡ଼ି କର୍ମୀଙ୍କୁ ‘ଶିକ୍ଷୟିତ୍ରୀ’ ଭାବେ ନିଯୁକ୍ତି ଓ ଶତ ପ୍ରତିଶତ ସିଧାସଳଖ ପଦୋନ୍ନତି ସୁଯୋଗ।

• ସରକାରଙ୍କ ପକ୍ଷରୁ କାମ ପାଇଁ ଫାଇଭ୍-ଜି ମୋବାଇଲ୍ ଯୋଗାଇ ଦିଆଯିବା ସହ ସିମ୍ ରିଚାର୍ଜ ଖର୍ଚ୍ଚ ବହନ କରାଯାଉ।

• ଅବସରକାଳୀନ ସହାୟତା ଏବଂ ସମସ୍ତ କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଉ।

ସଂଘ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ସରକାର ତୁରନ୍ତ ପୂରଣ କରନ୍ତୁ। ଯଦି ଏହି ଦାବିଗୁଡ଼ିକ ଉପରେ ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ବିଧାନସଭା ଶୀତ ଅଧିବେଶନ ସାରା ରାଜରାସ୍ତାରେ ଆନ୍ଦୋଳନ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ସମସ୍ତ କାର୍ଯ୍ୟ ବନ୍ଦ କରି ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି। ଏହି ବିଶାଳ ବିକ୍ଷୋଭ ଯୋଗୁଁ ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories