ଋଣ ନିୟମ ଭାଙ୍ଗିଲେ ଅନମୋଲ: ୨୨୮ କୋଟିର ‘ବିଶ୍ୱାସଘାତକତା’ ଅଭିଯୋଗ ଆଣିଲା CBI

ଋଣ ନିୟମ ଭାଙ୍ଗିଲେ ଅନମୋଲ: ୨୨୮ କୋଟିର 'ବିଶ୍ୱାସଘାତକତା' ଅଭିଯୋଗ ଆଣିଲା CBI

ନୂଆଦିଲ୍ଲୀ: ଶିଳ୍ପପତି ଅନୀଲ ଅମ୍ବାନୀ ଏବଂ ତାଙ୍କ କମ୍ପାନୀଗୁଡ଼ିକ ଉପରେ ଜାତୀୟ ଯାଞ୍ଚ ଏଜେନ୍ସି ଚଢ଼ାଉ ଜାରି ରଖିଥିବା ବେଳେ ଏବେ ତାଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ନାଁରେ ଏକ ବଡ଼ ଦୁର୍ନୀତି ଅଭିଯୋଗ ଆସିଛି। ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (Union Bank of India) ସହ ୨୨୮ କୋଟି ଟଙ୍କାରୁ ଅଧିକ ହେରଫେର୍ ଅଭିଯୋଗରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଅନମୋଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାଟି ରିଲିୟାନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଦ୍ୱାରା ନିଆଯାଇଥିବା ଋଣ ସହିତ ଜଡ଼ିତ।

ବ୍ୟାଙ୍କର ଅଭିଯୋଗ ଅନୁସାରେ, RHFL ବ୍ୟବସାୟରେ ବିନିଯୋଗ କରିବା ପାଇଁ ୟୁନିୟନ ବ୍ୟାଙ୍କର ମୁମ୍ବାଇ SC&F ଶାଖାରୁ ୪୫୦ କୋଟି ଟଙ୍କାର କର୍ପୋରେଟ୍ ଲୋନ୍ ନେଇଥିଲା। ଋଣର ସର୍ତ୍ତାବଳୀ ଅନୁଯାୟୀ କମ୍ପାନୀକୁ ଇଏମ୍ଆଇ, ସୁଧ ପୈଠ କରିବା ସହ ଆବଶ୍ୟକ କାଗଜପତ୍ର ଜମା କରିବାର ଥିଲା। ତେବେ, ଏକ ଫରେନ୍ସିକ୍ ଅଡିଟ୍ ବେଳେ ଏହା ଖୁଲାସା ହୋଇଛି ଯେ କମ୍ପାନୀ ଋଣ ନେବାର ମୂଳ ଉଦ୍ଦେଶ୍ୟରୁ ଓହରି ଯାଇ ବ୍ୟାଙ୍କର ବିନା ଅନୁମତିରେ ଅନ୍ୟ ସ୍ଥାନରେ ଋଣ ଟଙ୍କାକୁ ବିନିଯୋଗ କରିଛି। ଗ୍ରାଣ୍ଟ ଥ୍ରୋର୍ଣ୍ଟନଙ୍କ ଫରେନ୍ସିକ୍ ରିପୋର୍ଟରୁ ଜଣାପଡିଛି ଯେ ୨୦୧୬ ରୁ ୨୦୧୯ ମଧ୍ୟରେ ଋଣ ପାଣ୍ଠିକୁ ‘ଡାଇଭର୍ଟ’ କରାଯାଇଥିଲା, ଯାହା ଫଳରେ ବ୍ୟାଙ୍କକୁ ପ୍ରାୟ ୨୨୮ କୋଟି ଟଙ୍କାର କ୍ଷତି ହୋଇଛି।

ବ୍ୟାଙ୍କ ଅଭିଯୋଗ କରିଛି ଯେ କମ୍ପାନୀର ନିର୍ଦ୍ଦେଶକମାନେ ବ୍ୟାଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ଏବଂ ସମୟାନୁବର୍ତ୍ତୀ ଭାବେ ଇଏମ୍ଆଇ ପୈଠ କରିବାରେ ବିଫଳ ହୋଇଛନ୍ତି। ଏହି କାରଣରୁ ୨୦୧୯ ସେପ୍ଟେମ୍ବର ୩୦ ତାରିଖରେ କମ୍ପାନୀର ଖାତାକୁ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (NPA) ଘୋଷଣା କରାଯାଇଥିଲା। ଫଣ୍ଡ ଡାଇଭର୍ସନ ସମୟରେ ଜୟ ଅନମୋଲ ଅମ୍ବାନୀ RHFL ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ।

ସିବିଆଇର ଅଭିଯୋଗ ଅନୁଯାୟୀ, ଜୟ ଅନମୋଲ ଅମ୍ବାନୀ ବ୍ୟାଙ୍କର ସର୍ତ୍ତ ଉଲ୍ଲଂଘନ କରି ଋଣ ଟଙ୍କାକୁ ଅନ୍ୟତ୍ର ବିନିଯୋଗ କରିଥିଲେ। ଏହି ଆଧାରରେ ସିବିଆଇ ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଧାରା ୧୨୦ (ଅପରାଧିକ ଷଡଯନ୍ତ୍ର) ଏବଂ ଧାରା ୪୨୦ (ଠକେଇ) ଭଳି ସାଂଘାତିକ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories