ଭୁବନେଶ୍ବର: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସମଗ୍ର ଓଡ଼ିଶାରେ ଗଭୀର ଶୋକର ଛାୟା ଖେଳିଯାଇଛି। ନିକଟରେ ଓଲିଉଡର ସୁପରଷ୍ଟାର୍ ତଥା ଅଭିନେତା ଅନୁଭବ ମହାନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନଙ୍କ ବାସଭବନକୁ ଯାଇ ତାଙ୍କ ମାଆଙ୍କୁ ଭେଟିଛନ୍ତି। ପରିବାରକୁ ଭେଟି ଅନୁଭବ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଓ ଶାନ୍ତ୍ୱନା ଜଣାଇଛନ୍ତି।
ଗତ ନଭେମ୍ବର ମାସରେ ଓଡ଼ିଆ ସଙ୍ଗୀତ ଜଗତର ଏହି ଉଦୀୟମାନ ତାରକା ମାତ୍ର ୩୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଲିଭର୍ ଏବଂ କିଡ୍ନୀ ଜନିତ ସମସ୍ୟା ସହ ମଲ୍ଟି ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମରେ ପୀଡ଼ିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାବେଳେ ଅଭିନେତା ଅନୁଭବ ମହାନ୍ତି ମଧ୍ୟ ତାଙ୍କୁ ଡାକ୍ତରଖାନାରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ହ୍ୟୁମାନ ସାଗର ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଛକି ଶୂନ’ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ, ଯାହାକି ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।
ଟିଟିଲାଗଡ଼ ଗସ୍ତ ସମୟରେ ଅନୁଭବ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଏକ ବହୁତ ବଡ଼ କ୍ଷତି। ତାଙ୍କ ବିନା ଓଡ଼ିଆ ସିନେ ଜଗତକୁ କଳ୍ପନା କରାଯାଇନପାରେ। ସଙ୍ଗୀତ ଜଗତରେ ହ୍ୟୁମାନଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ସେ କହିଛନ୍ତି। ପରିବାରକୁ ସାନ୍ତ୍ୱନା ଦେବା ପରେ ଅନୁଭବ ହ୍ୟୁମାନ ସାଗରଙ୍କ କବର ସ୍ଥଳକୁ ଯାଇ ସେଠାରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ଏହି ଗସ୍ତ ଓଡ଼ିଆ ସିନେମା ଜଗତରେ ଏକ ଭାଇଚାରାର ବାର୍ତ୍ତା ବହନ କରିଛି।
ଓଡ଼ିଆ ସଙ୍ଗୀତରେ ହ୍ୟୁମାନଙ୍କ ସ୍ୱତନ୍ତ୍ର ସ୍ଥାନ
ହ୍ୟୁମାନ ସାଗର ତାଙ୍କ ଗୀତ ‘ଭିଜେଇ ଦେଇ ଯାଆ ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ…’ ଏବଂ ‘ଗଜଲ୍ ଗଜଲ୍…’ ଭଳି ଅନେକ ରୋମାଣ୍ଟିକ ଗୀତ ମାଧ୍ୟମରେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇଥିଲେ। ‘ଭଏସ୍ ଅଫ୍ ଓଡ଼ିଶା ସିଜନ୍-୨’ ର ବିଜେତା ହେବା ପରେ ସେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମରେ ବହୁ ହିଟ୍ ଗୀତ ଗାଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଶୂନ୍ୟତା ସୃଷ୍ଟି ହୋଇଛି।








