ଭୁବନେଶ୍ବର: ବିଧାନ ସଭା ଅଧିବେଶନ ଚାଲିଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ଓ ଶାସକଙ୍କ କଥା କଟାକଟି ଆରୋପ ପ୍ରତ୍ୟାରୋପ ଚର୍ଚା ହେଉଥିବାବେଳେ ଏଥର ଶୀତ ଅଧିବେଶନ ରେ ବିଧାନସଭା ବାହାରେ କିଛି ବିଜେପି, ବିଜେଡ଼ି ବିଧାୟକଙ୍କ କଥା ରାଜନୀତିରେ ରୋଚକ ମୋଡ଼ ଆଡ଼କୁ ଗତି କରୁଥିବା ଆଲୋଚନା ହେଉଛି। ବୁଧବାର ବିଧାନସଭା ପରିସରରେ ବିଜେପିର ଆସିକା ବିଧାୟକ ସରୋଜ ପାଢୀ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଥଟ୍ଟାମଜାକୁ ନେଇ ଏବେ ଏତେ ଆଲୋଚନା ଯେ ମନଠୁ ଅଧିକ ବେଗରେ ମୋବାଇଲ୍ ରୁ ମୋବାଇଲ୍ ଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅବଶ୍ୟ ଏ ତିନି ବିଧାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ କଥା ହେଉଥିଲେ କିନ୍ତୁ କଥାବାର୍ତ୍ତା ଓ ଥଟା ମଜା ଏମିତି ଥିଲା ଯେ, ସତେ ଯେମିତି ପୂର୍ବରୁ ବିଭିନ୍ନ ମହଲରେ ଆଲୋଚନା ହେଉଥିବା କଥାସବୁ ସତ ପରି ଲାଗୁଥିଲା।
ଏକ ଭିଡିଓରେ ଦେଖାଯାଇଛି ଆସିକା ବିଧାୟକ ସରୋଜ ପାଢ଼ୀ ଓ ବିଜେଡ଼ି ବିଧାୟକ ଅରୁଣ ସାହୁ ଠିଆ ହୋଇଛନ୍ତି। କିଛି ସମୟ ଆଲୋଚନା ଭିତରେ ଉଭୟଙ୍କ ଥଟା ମଜା ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଶ୍ଲେଷଣ କରିବାର ଖୋରାକ ଯୋଗାଇଛି। ମାତ୍ର ସ୍ୱଳ୍ପ ସମୟର ଭିଡିଓରେ ଦେଖାଯାଇଛି ବିଜେପିର ଆସିକା ବିଧାୟକ ସରୋଜ ପାଢୀ କହିଛନ୍ତି ଅରୁଣ ହେଉଛି ସାନ ଭାଇଟା ଆମର। ଆସିବ ଯଦି ଆମ ପାଖରେ ରହିବ, ଆମେ କଣ ନାଇଁ କରିବୁ। ତେବେ କଥା କାଟିବାକୁ ଯାଇ ଅରୁଣ ସରୋଜଙ୍କ କହୁଛନ୍ତି ମୁଁ ତମକୁ କେତେବେଳେ କହିଲି। ଉତ୍ତରରେ ସରୋଜ କହୁଛନ୍ତି ନ ଥିଲେ ବି ଇସ୍ୟୁ କରିବାକୁ ପଡୁଛି। ଅରୁଣ ଜବାବରେ କହୁଛନ୍ତି ମୁଁ ସାମ୍ନାରେ ଯାହା କହିବି ପଛରେ ବି ସେଇଆ କହେ। ସାମ୍ନାରେ ଗୋଟେ କଥା କହିକି ପଛରେ ଗୋଟେ କଥା କହି ପାରିବିନି।
ସଙ୍ଗେ ସଙ୍ଗେ ସ୍ପଷ୍ଟୀକରଣ ଦେବାକୁ ଯାଇ ସରୋଜ କହିଛନ୍ତି ମୁଁ ତ ସେ କଥା କହୁଛି ନାଁ ଅରୁଣ ଭାଇ ଆମ ପାଖକୁ ଆସିବାକୁ ଶହେ କେ ଶହେ ପର୍ସେଣ୍ଟ ଇଚ୍ଛା, କିନ୍ତୁ ଆସି ପାରୁ ନାହାଁନ୍ତି। ଆସିବ, ଆମେ ଆଶା ରଖିଛୁ। ନିଶ୍ଚିତ ଭାବେ ଆସିବ। ଏମିତି କହି ଅରୁଣଙ୍କ ସହ ହାତ ମିଲାଉଛନ୍ତି ସରୋଜ। ଉଭୟଙ୍କ ଆଲୋଚନା ଏବେ ରାଜ୍ୟ ରାଜନୀତିରେ ରୋଚକ ମୋଡ଼ ଆଡ଼କୁ ଗତି କରୁଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ କମେଣ୍ଟ ବି ଜୋର୍ ଧରିଛି। କେହି କେହି କହୁଛନ୍ତି ସତ ହେବ କି ଥଟ୍ଟା ମଜା।







