‘ତୁଳସୀ’ଙ୍କ ବୋହୂ ସାଜିଲେ ‘ଅଶ୍ଲେଷା’, ସନ୍ଦୀପଙ୍କୁ କଲେ ବୃନ୍ଦାବନରେ ବିବାହ; ଶୁଭେଚ୍ଛା ଜଣାଇଲେ ସ୍ମୃତି ଇରାନୀ

'ତୁଳସୀ'ଙ୍କ ବୋହୂ ସାଜିଲେ 'ଅଶ୍ଲେଷା'

ମିଷ୍ଟର ଓ ମିସେସ୍ ହେଲେ ଅଶ୍ଲେଷା ସାୱନ୍ତ ଓ ସନ୍ଦୀପ ବାସୱାନ। ଟିଭି ସିରିଏଲ୍ ‘କ୍ୟୁଁକି ସାସ୍ ଭି କଭି ବହୁ ଥି’ (Kyunki Saas Bhi Kabhi Bahu Thi) ରୁ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଅଶ୍ଲେଷା ସାୱନ୍ତ ଏବଂ ଅଭିନେତା ସନ୍ଦୀପ ବାସୱାନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ଗତ ନଭେମ୍ବର ୧୬ ତାରିଖରେ ବୃନ୍ଦାବନରେ ସାତ ଫେରା ନେଇଛନ୍ତି।

ସ୍ମୃତି ଇରାନୀଙ୍କ ସ୍ୱତନ୍ତ୍ର ପୋଷ୍ଟ: ସିରିଏଲ୍‌ର ମୁଖ୍ୟ ଅଭିନେତ୍ରୀ ତଥା ରାଜନେତ୍ରୀ ସ୍ମୃତି ଇରାନୀ ନିଜର ଘନିଷ୍ଠ ବନ୍ଧୁ ଅଶ୍ଲେଷା ଓ ସନ୍ଦୀପଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି।

ସ୍ମୃତି ତାଙ୍କ ଇନଷ୍ଟାଗ୍ରାମରେ ଏକ ମଧୁର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, କିଛି ପ୍ରେମ କାହାଣୀ ରୀତିନୀତିରେ ନୁହେଁ, ସତ୍ୟତାରୁ ଆରମ୍ଭ ହୁଏ। ଏହା କେବଳ ଏକାଠି ରହିବାର ପ୍ରତିଜ୍ଞା କରେ। ଏହା ବିଶ୍ୱାସ କରେ ଯେ ପ୍ରେମ ସମୟ ସହିତ କମିପାରେ, କିନ୍ତୁ ବନ୍ଧୁତା କେବେ ହ୍ରାସ ହୁଏ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଓ ଅନ୍ୟ ସାଙ୍ଗମାନେ ବହୁ ବର୍ଷ ଧରି ସେମାନଙ୍କୁ ବିବାହ କରିବା ପାଇଁ ଉତ୍ସାହିତ କରୁଥିଲେ, ଏବଂ ଶେଷରେ ଉଭୟ ବିବାହ କରିଥିବାରୁ ସେ ବହୁତ ଖୁସି। ସ୍ମୃତିଙ୍କ ଏହି ଶୁଭେଚ୍ଛା ପୋଷ୍ଟରେ ଅଭିନେତା ସୋନୁ ସୁଦ୍ ମଧ୍ୟ ଲାଲ୍ ହୃଦୟ ଇମୋଜି ଦେଇ ଅଭିନନ୍ଦନ ଜଣାଇଛନ୍ତି।

ଅଶ୍ଲେଷା ଓ ସନ୍ଦୀପଙ୍କ ପ୍ରତିକ୍ରିୟା: ନିଜ ବିବାହର ଫଟୋ ସେୟାର କରି ଅଶ୍ଲେଷା ଓ ସନ୍ଦୀପ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଏହିପରି ଆମେ ଶ୍ରୀମତୀ ଏବଂ ଶ୍ରୀମାନଙ୍କ ନୂଆ ଅଧ୍ୟାୟରେ ପ୍ରବେଶ କଲୁ। ପରମ୍ପରା ନିଜେ ନିଜର ବାଟ ଖୋଜି ଆମ ହୃଦୟରେ ପହଞ୍ଚିଗଲା। ଆମେ କୃତଜ୍ଞତା ଏବଂ ଆଶୀର୍ବାଦରେ ପରିପୂର୍ଣ୍ଣ।

ଉଭୟଙ୍କର ପ୍ରଥମ ସାକ୍ଷାତ ୨୦୦୨ ମସିହାରେ ‘କ୍ୟୁଁକି ସାସ୍ ଭି କଭି ବହୁ ଥି’ ସେଟରେ ହୋଇଥିଲା, ଯେଉଁଠାରେ ସେମାନେ ଦିଅର-ଭାଉଜ ଚରିତ୍ରରେ ଅଭିନୟ କରୁଥିଲେ। ଅଶ୍ଲେଷା ସାୱନ୍ତ ବର୍ତ୍ତମାନ ଟେଲିଭିଜନ ସିରିଏଲ୍ ‘ଝନକ’ରେ ନଜର ଆସୁଛନ୍ତି ଏବଂ ଏହା ପୂର୍ବରୁ ସେ ‘ଅନୁପମା’ ଭଳି ଲୋକପ୍ରିୟ ଶୋ’ରେ କାମ କରିଛନ୍ତି। ସନ୍ଦୀପ ବାସୱାନାଙ୍କୁ ଶେଷ ଥର ପାଇଁ ‘ଆପୋଲେନା’ରେ ଦେଖିବାକୁ ମିଳିଥିଲା।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories