ବିଭିନ୍ନ ଦାବି ନେଇ ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ହେଉଛି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାରୁ ସବୁ ସରକାରୀ ବ୍ୟାଙ୍କରେ କାମ ବନ୍ଦ ରହିବ । କର୍ମଚାରୀଙ୍କ ଉପରେ ଅଧିକ କାମ ଚାପ ଥିବାରୁ ସପ୍ତାହରେ ୫ ଦିନ କାମ କରିବା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ଲଗାତାର ଚତୁର୍ଥ ଦିନ ପାଇଁ ସରକାରୀ ବ୍ୟାଙ୍କ ସେବା ପ୍ରଭାବିତ ହେବ । ନଗଦ କାରବାର ବନ୍ଦ ରହିବ ଏବଂ ଚେକ୍ କ୍ଲିୟରାନ୍ସ ଭଳି କାମ ପ୍ରଭାବିତ ହେବ । ତେବେ ଆନ୍ଦୋଳନ ଯୋଗୁଁ କୌଣସି ଅନଲାଇନ୍ ନେଣଦେଣ ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି । ୟୁପିଆଇ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା ପ୍ରଭାବିତ ହେବନାହିଁ, ହେଲେ କିଛି ସ୍ଥାନରେ ଏଟିଏମରୁ ଟଙ୍କା ଉଠାଣ ପ୍ରଭାବିତ ହୋଇପାରେ ।
ଏହି ଆନ୍ଦୋଳନରେ ୧୨ଟି ବ୍ୟାଙ୍କର କର୍ମଚାରୀ ସାମିଲ ହେବେ, ଯାହାମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, କାନାଡ଼ା ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଆଦି ସାମିଲ ଅଛନ୍ତି । ୯ଟି ପ୍ରମୁଖ ବ୍ୟାଙ୍କ ୟୁନିଅନ୍କୁ ନେଇ ଗଠିତ UFBU ମୁଖ୍ୟ ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିବାରୁ ବନ୍ଦ ଡାକରା ଦିଆଯାଇଛି । ୨୦୨୪ ମାର୍ଚ୍ଚ ମାସରେ ବେତନ ସଂଶୋଧନ ସମୟରେ UFBU ସମସ୍ତ ଶନିବାରକୁ ବ୍ୟାଙ୍କ ଛୁଟି ଘୋଷଣା କରିବା ଦାବି କରିଥିଲା । RBI, LIC, GIC, ଷ୍ଟକ୍ ଏକ୍ସଚେଞ୍ଜ ଆଦିରେ ପାଞ୍ଚ ଦିନିଆ କାର୍ଯ୍ୟ ପ୍ରଣାଳୀ ରହିଥିବାରୁ ସପ୍ତାହରେ ପାଞ୍ଚ ଦିନ କାମ ପାଇଁ UFBU ଦାବି କରିଛି ଏବଂ ସୋମବାରରୁ ଶୁକ୍ରବାର ଯାଏ ପ୍ରତିଦିନ ୪୦ ମିନିଟ୍ ଅଧିକ କାମ କରିବାକୁ ସହମତି ମଧ୍ୟ ଦିଆଯାଇଥିଲା । ସରକାରଙ୍କ ସହ ଆଲୋଚନା ପରେ କୌଣସି ନିଷ୍ପତ୍ତି ନ ବାହାରିବାରୁ UFBU ଆନ୍ଦୋଳନକୁ ଓହ୍ଲାଇଛି ।







