କଟକ: ଆଜି କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ହାଇଭୋଲଟେଜ୍ ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେଉଛି । କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏହି ମ୍ୟାଚକୁ ନେଇ ସାରା ଓଡ଼ିଶାରେ କ୍ରିକେଟ୍ ଉତ୍ସାହ ଦେଖିବାକୁ ମିଳିଛି ।
କଡାକଡି ସୁରକ୍ଷା ବ୍ୟବସ୍ଥା
ମ୍ୟାଚ୍ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଟ୍ୱିନ୍ ସିଟି (କଟକ ଓ ଭୁବନେଶ୍ୱର)ରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି କରାଯାଇଛି । ଶାନ୍ତିଶୃଙ୍ଖଳା ଓ ଦର୍ଶକଙ୍କ ସୁରକ୍ଷା ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେହିପରି, କଟକ ରେଳ ଷ୍ଟେସନରେ ମଧ୍ୟ ଜିଆରପି ଓ ଆରପିଏଫ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ଅଛନ୍ତି ।
ଦର୍ଶକଙ୍କ ସୁବିଧା ପାଇଁ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅପରାହ୍ଣ ସାଢ଼େ ୩ଟା ଠାରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରୁ ମୋଟ ୨୦ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରୁଛି । ବରମୁଣ୍ଡା, ଜୟଦେବବିହାର, ନନ୍ଦନକାନନ ଏବଂ ରେଳ ଷ୍ଟେସନ ଭଳି ପ୍ରମୁଖ ସ୍ଥାନରୁ ସିଧାସଳଖ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏହି ବସ୍ ସେବା ଯୋଗାଇ ଦିଆଯାଇଛି ।
ଆଉ କିଛି ସମୟର ଅପେକ୍ଷା, ତା’ପରେ ଖେଳାଳିଙ୍କ ଛକା ଓ ଚୌକା ବର୍ଷାରେ ବାରବାଟୀ ଷ୍ଟାଡିୟମ୍ ଦୁଲୁକି ଉଠିବ ଏବଂ କ୍ରିକେଟ୍ ପ୍ରେମୀ ଏହି ରୋମାଞ୍ଚକର ମୁକାବିଲାର ମଜା ନେବେ ।








