କଟକ: ବାରବାଟୀ T20 ଭାରତ ଦକ୍ଷିଣ ଆଫ୍ରିକା ମ୍ୟଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ବଢ଼ିଛି ରବିବାର ଟିକେଟ ବିକ୍ରି ନେଇ ଓସିଏ କର୍ତ୍ତୃପକ୍ଷଙ୍କ ଘୋଷଣା ପରେ ଚାରିଆଡ଼େ ଚର୍ଚ୍ଚା। କେମିତି ମିଳିବ ଟିକେଟ, ବାରବାଟୀରେ ପ୍ରିୟ ଖେଳାଳିଙ୍କୁ ଦେଖିବେ ଦର୍ଶକ। କଥାଟା ହେଉଛି କ୍ରିକେଟ ଫାନ୍ ଙ୍କୁ ଘଣ୍ଟିଛି ଟିକେଟ ଚିନ୍ତା । କାରଣ ଏଥର ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ମାତ୍ର ୧୨ ହଜାର ଟିକେଟ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି OCA ସମ୍ପାଦକ ସଞ୍ଜୟ ବେହେରା । ବାରବାଟୀ ଷ୍ଟାଡିୟମର କ୍ଷମତା ଠାରୁ କାହା ପାଇଁ କେତେ ଟିକେଟ ରଖାଯାଇଛି, କେତେ ବିକ୍ରି ହେବ ସେ କଥା ସ୍ପଷ୍ଟ କରିଛନ୍ତି ଶ୍ରୀ ବେହେରା । ଏବେ ଆସନ୍ତୁ ଜାଣିବା ବାରବାଟୀ ମ୍ୟାଚ ଓ ଟିକେଟ କାହା ପାଇଁ କେତେ ପୂର୍ବ ମ୍ୟାଚ ଅନୁସାରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍ ର ସିଟିଙ୍ଗ କ୍ଷମତା ୪୨ହଜାର ୫ ଶହ, ହେଲେ ଏଥର କିନ୍ତୁ କିଛି କାମ ଓ ଷ୍ଟାଡିୟମର ସୁରକ୍ଷା ନେଇ ୨ହଜାର ୫ଶହ ଟିକେଟ ହ୍ରାସ କରାଯାଇଛି । ଅର୍ଥାତ୍ ଏଥର ମ୍ୟାଚ ଦେଖିବାକୁ ୪୨ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରୁ ୧୯ହଜାର ରହିବ ପାସ ପାଇଁ, ଆଉ ରହିଲା ୨୩ ହଜାର ଟିକେଟ । ଏଥିରୁ ୧୧ହଜାର ରହିବ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ । ଅର୍ଥାତ୍ ଓସିଏ ୭୦ରୁ ଅଧିକ ଅନୁବନ୍ଧିତ ସଂସ୍ଥାକୁ ମିଳିବ ଏହି ଟିକେଟ ।
ବଳକା ୧୨ ହଜାର ଟିକେଟ ବିକ୍ରି ପାଇଁ ବ୍ୟାପକ ଆୟୋଜନ କରିଛନ୍ତି ଓସିଏ କର୍ତ୍ତୃପକ୍ଷ । ୧୨ହଜାରରୁ ୨ହଜାର ବିକ୍ରି ହେବ ଅନଲାଇନରେ । ୧୦ ହଜାର ବିକ୍ରି ହେବା କାଉଣ୍ଟରରେ। ଏହାକୁ ନେଇ ସମସ୍ତଙ୍କ ଚିନ୍ତା। ଦର୍ଶକ ଭାବୁଛନ୍ତି କେମିତି ମିଳିବ ଟିକେଟ । ପ୍ରଶାସନ ଚିନ୍ତା କରୁଛି କେମିତି ଶୃଙ୍ଖଳିତ ହେବ ଟିକେଟ ବଣ୍ଟନ । BCCI ନିୟମ ଅନୁଯାୟୀ, ଷ୍ଟାଡିଆମ୍ର ମୋଟ କ୍ଷମତାର ୯୦ ଶତାଂଶ ଟିକେଟ୍ ସାଧାରଣ ଲୋକଙ୍କ ପାଇଁ ବିକ୍ରୟ ଉଦ୍ଦେଶ୍ୟରେ ରଖାଯିବ । ଏଥିସହିତ, ଅନ୍ତର୍ଜାତୀୟ ଖେଳକୁ ଆୟୋଜନ କରୁଥିବା ରାଜ୍ୟ ସଂଘଟନକୁ BCCI ପାଇଁ ୫ ପ୍ରତିଶତ କମ୍ପ୍ଲିମେଣ୍ଟାରୀ ପାସ୍ ବ୍ୟବସ୍ଥା ରହିଛି।
ତେବେ ଓସିଏ ଟିକେଟ ଓ ପାସ ପଲିସିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାଧାରଣ ଦର୍ଶକଙ୍କ ଅପେକ୍ଷା ଭିଭିଆଇପି ଓ ବଦବଡିଆଙ୍କ ସନ୍ତୁଷ୍ଟି ଓ ସେବାରେ ଓସିଏ ବୋଲି ଆଲୋଚନା ହେଉଛି।







