ଦୈନିକ ୫ ମିନିଟ ସନମୁଖୀ ମୁଦ୍ରା ସହ ଭ୍ରମରୀ ପ୍ରାଣାୟାମ କରିବାର ଲାଭ

ଦୈନିକ ୫ ମିନିଟ ସନମୁଖୀ ମୁଦ୍ରା ସହ ଭ୍ରମରୀ ପ୍ରାଣାୟାମ କରିବାର ଲାଭ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଟିକିଏ ମାନସିକ ଶାନ୍ତି ପାଇବା ବଡ କାଠିକର ପାଠ ହୋଇପଡିଛି । କିନ୍ତୁ ଭାରତୀୟ ସଂସ୍କୃତିରେ ବହୁ ପୁରାତନ ଯୁଗରୁ ଚାଲିଆସୁଥିବା ଯୋଗ, ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ଅନେକ ମାନସିକ ଏବଂ ଶାରୀରିକ ଲାଭ ମିଳିଥାଏ । ପ୍ରତ୍ୟେକ ଯୋଗ ଏବଂ ପ୍ରାଣାୟାମ ସଠିକ ମୁଦ୍ରା ସହିତ ସଠିକ ଭାବରେ କରିଲେ ତାର ବହୁ ଗୁଣିତ ଲାଭ ମିଳିଥାଏ । ଦୈନିକ ୫ ମିନିଟ ସନମୁଖୀ ମୁଦ୍ରା ସହ ଭ୍ରାମରୀ ପ୍ରାଣାୟାମ କରିଲେ ମାନସିକ ଶାନ୍ତି, ଏକାଗ୍ରତା,ସ୍ମରଣ ଶକ୍ତି ବୃଦ୍ଧି,ସୁଖନିଦ୍ରା ମିଳିଥାଏ ।ଏହି ପ୍ରାଣାୟାମ କରିବା ପାଇଁ ସର୍ବପ୍ରଥମେ ଏକ ଆସନରେ ପଦ୍ମାସନ, ବଜ୍ରାସନ କିମ୍ବା ଶୁଖାସନରେ ବସନ୍ତୁ । ତଳେ ବସିବାରେ ଅସୁବିଧା ହେଉଥିଲେ ଆପଣ ଚଉକି ର ମଧ୍ୟ ବ୍ୟବହାର କରିପାରିବେ। ଅଣ୍ଟା, ମେରୁଦଣ୍ଡ ଏବଂ ବେକକୁ ସିଧାକରି ଶାନ୍ତ ଭାବରେ ବସନ୍ତୁ। ଏହାପରେ ଆପଣଙ୍କ ଦୁଇ ହାତର ବୃଦ୍ଧା ଆଙ୍ଗୁଠି ଦୁଇ କାନ ଉପରେ, ଦୁଇ ତର୍ଜନୀ ଆଙ୍ଗୁଠି ଦୁଇ ଆଖି ଉପରେ,ଦୁଇ ମଧ୍ୟମା ଆଙ୍ଗୁଠି ନାକର ଦୁଇ ପାର୍ଶ୍ୱରେ,ଦୁଇ ଅନାମିକା ଆଙ୍ଗୁଠି ଓଠର ଉପରପାର୍ଶ୍ୱରେ ଏବଂ ଦୁଇ କନିଷ୍ଠା ଆଙ୍ଗୁଠି ଓଠର ତଳପାର୍ଶ୍ୱରେ ହାଲୁକା ଭାବରେ ରଖନ୍ତୁ(ସନମୁଖୀ ମୁଦ୍ରା) । ଏହାପରେ ଧୀରେଧୀରେ ନାକ ସାହାଯ୍ୟ ରେ ଏକ ଦୀର୍ଘ ଶ୍ୱାସ ଗ୍ରହଣ କରନ୍ତୁ । ପୁଣି ନାକ ସାହାଯ୍ୟ ରେ ଧୀରେଧୀରେ ଶ୍ୱାସକୁ ଛାଡ଼ନ୍ତୁ। ଶ୍ୱାସ ଛାଡ଼ିବା ସମୟରେ ଓଠ ବନ୍ଦ ରଖି ଦାନ୍ତ ମଧ୍ୟରେ ସାମାନ୍ୟ ଦୂରତା ରଖି “ହମମ—” ଧ୍ୱନି କରନ୍ତୁ । ଏକ ସମାନ୍ତର ଲୟରେ ଏହି ଧ୍ଵନି ବେକ ପାଖରୁ ଉଚ୍ଚାରଣ କରନ୍ତୁ। ଏହି ପ୍ରାଣାୟାମ କୁ ବାରମ୍ବାର ୫ ମିନିଟ ପାଇଁ କରନ୍ତୁ ।

ଏହି ପ୍ରାଣାୟାମ କରିବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହି ପ୍ରାଣାୟାମରେ “ହମମ—“ଧ୍ୱନି କରିବା ଦ୍ୱାରା, ସ୍ପନ୍ଦନ ସୃଷ୍ଟି ହୋଇଥାଏ।ଏହି ସ୍ପନ୍ଦନ ନାକ ଏବଂ ସାଇନସ ରୁ ଅଧିକ ମାତ୍ରାରେ ନାଇଟ୍ରିକ ଅକ୍ସାଇଡ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏହି ନାଇଟ୍ରିକ ଅକ୍ସାଇଡ ରକ୍ତନଳୀ କୁ ପ୍ରଶସ୍ତ କରିଥାଏ ଫଳରେ ରକ୍ତ ପ୍ରବାହ ବଢିଥାଏ ଏବଂ ଯଥେଷ୍ଟ ପରିମାଣର ଅମ୍ଳଜାନ ଶରୀରର ମାଂସପେଶୀ, ବିଭିନ୍ନ ଅଙ୍ଗ ଗୁଡିକ ପାଖରେ ପହଞ୍ଚିଥାଏ । ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ନିମ୍ନ ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ ।

ନାଇଟ୍ରିକ ଅକ୍ସାଇଡ ଏକ ସ୍ନାୟୁସଞ୍ଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ।ଏହା ଦ୍ୱାରା ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା, ସ୍ମୃତିଶକ୍ତି,ଶିଖିବା କ୍ଷମତାକୁ ବୃଦ୍ଧିକରେ। ଭ୍ରାମରୀ ପ୍ରାଣାୟାମ ଦ୍ୱାରା ପାରାସୀମ୍ପାଥେଟିକ ସ୍ନାୟୁ (parasympathetic nerves ) ସକ୍ରିୟ ହୋଇଥାଏ ଯାହା ରକ୍ତଚାପ କୁ କମକରିଥାଏ ଏବଂ ହୃଦୟ ଉପରେ ଚାପ କମକରି ହୃଦୟକୁ ସୁସ୍ଥ ରଖିଥାଏ।ଏହି ପ୍ରାଣାୟାମ ପିନିଅଲ ଗ୍ରନ୍ଥିକୁ ସକ୍ରିୟ କରି “ମେଲାଟୋନିନ” ନାମକ ହରମୋନ ଉତ୍ପାଦନ ବଢ଼ାଇଥାଏ ଯାହା ଶୋଇବା ଉଠିବା ପ୍ରଣାଳୀ କୁ ନିୟନ୍ତ୍ରଣ କରି ସୁଖନିଦ୍ରା ଆଣିବାରେ ସାହାଯ୍ୟ କରେ । ସନମୁଖୀ ମୁଦ୍ରା ରେ କାନ,ଆଖି, ପାଟି ବନ୍ଦ କରି ଭ୍ରମର ପରିକା ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା ଏହାର କମ୍ପନ ପ୍ରଭାବ ଆଭ୍ୟନ୍ତରୀଣ ଶରୀର, ମସ୍ତିଷ୍କ ଏବଂ ମନ ଉପରେ ପଡିଥାଏ ଏବଂ ମନକୁ ଶାନ୍ତ ରଖି ଟେନସନ କୁ ଦୂର କରିଥାଏ।

ସନମୁଖୀ ମୁଦ୍ରା, ଭ୍ରାମରୀ ପ୍ରାଣାୟାମ ପ୍ରଭାବକୁ ବହୁଗୁଣିତ କରିଥାଏ । ତେଣୁ ଆପଣମାନେ ଏହି ପ୍ରାଣାୟାମକୁ ନିୟମିତ ମାତ୍ର ୫ ମିନିଟ ପାଇଁ ଅଭ୍ୟାସ କରିଲେ ଏହା ଆପଣଙ୍କ ଜୀବନରେ ଏକ ବଡ ସକାରାତ୍ମକ ପରିବର୍ତ୍ତନ କରିପାରିବ।

Mamata Debta
Author: Mamata Debta

Latest Stories