ଭଞ୍ଜନଗର: ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା

ଭଞ୍ଜନଗର: ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସା କିଭଳି ଜଣେ ବ୍ୟକ୍ତିଙ୍କ ଜୀବନ ନେଇପାରେ, ତାହାର ଏକ ନଗ୍ନ ଚିତ୍ର ଏଠାରେ ଦେଖିବାକୁ ମିଳିଛି। ଜଣେ ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ବର୍ବର ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ହରେକୃଷ୍ଣ ସ୍ୱାଇଁ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଜଣେ ଦୁର୍ବୃତ୍ତ ହରେକୃଷ୍ଣଙ୍କ ଦୋକାନକୁ ଆସି କୌଣସି କଥାକୁ ନେଇ ଯୁକ୍ତିତର୍କ କରିଥିଲେ।ପରେ ଏହା ଉଗ୍ର ରୂପ ଧାରଣ କରିଥିଲା ଏବଂ ଅଭିଯୁକ୍ତ ଜଣକ ହରେକୃଷ୍ଣଙ୍କୁ ସଂଘାତିକ ଭାବେ ମାଡ଼ ମାରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆକ୍ରମଣ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ପୋଲିସ ବର୍ତ୍ତମାନ ସମ୍ପୃକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭଞ୍ଜନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଉଛି।

Latest Stories