ଭୁବନେଶ୍ବର: ବଦଳିଲା ରାଜଭବନର ନାଁ । କେବଳ ଭୁବନେଶ୍ବର ନୁହେଁ ବରଂ ପୁରୀ ଓ ଭୁବନେଶ୍ବର ରାଜଭବନର ନାମକୁ ପରିବର୍ତ୍ତନ କରାଯାଇଛି । ରାଜଭବନର ନାମକୁ ପରିବର୍ତ୍ତନ କରାଯାଇ ଲୋକଭବନ ରଖାଯାଇଛି । ଏନେଇ ରାଜଭବନ ଅଫିସ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ ପତି ।
ନୂଆ ନାଁ ପାଇଲା ରାଜଭବନ:
ଏଣିକି ଭୁବନେଶ୍ବରରେ ଥିବା ରାଜଭବନର ନାଁ ଲୋକଭବନ ଭୁବନେଶ୍ବର କୁହାଯିବା ସହିତ ପୁରୀରେ ଥିବା ରାଜଭବନର ନାଁ ଲୋକଭବନ ପୁରୀ ବୋଲି କୁହାଯିବ । ବିଜ୍ଞପ୍ତି ଅନୁସାରେ ଏହାକୁ ଆଜିଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ । ଲୋକଙ୍କୁ ଆଖି ଆଗରେ ରଖି ଏହି ନାମକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକସେବା ଭବନ କରାଯାଇଥିବା ବେଳେ ବର୍ତ୍ତମାନ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକସେବା ଭବନ କରାଯାଇଛି ।
31ଟି ବିଭାଗକୁ ଚିଠି:
ଏନେଇ ରାଜ୍ୟପାଳଙ୍କ ସେକ୍ରେଟାରୀ ରୂପା ରୋଶନ ସାହୁଙ୍କ ଆଦେଶକୁ ବିଭିନ୍ନ ବିଭାଗକୁ ଲେଖାଯାଇଛି । ପାଖାପାଖି 31ଟି ବିଭାଗକୁ ଚିଠି ଲେଖାଯାଇଛି । ଆଜିଠାରୁ ରାଜଭବନ ପକ୍ଷରୁ ଯେଉଁସବୁ ବିଜ୍ଞପ୍ତି ପ୍ରକାଶ ପାଇବ ତାହା ଲୋକସେଭାଭବନ ଭୁବନେଶ୍ବର ନାମରେ ଲେଖାଯିବ । ଏହି ପରିବର୍ତ୍ତନର ପଛରେ ମୂଳ ଧାରଣା ହେଉଛି ଶାସନ ଓ ପ୍ରଶାସନ କେବଳ ଶାସକଙ୍କ ପାଇଁ ନୁହେଁ, ଲୋକଙ୍କ ପାଇଁ । ଲୋକଭବନ ନାମଟି ସାଧାରଣ ଲୋକଙ୍କୁ ସେହି ସନ୍ଦେଶ ଦେଉଛି ଯେ ଏହି ସଂସ୍ଥା ସେମାନଙ୍କର, ସେମାନଙ୍କ ପାଇଁ, ଏବଂ ସେମାନଙ୍କ ସହିତ ।
ଭୁବନେଶ୍ୱର ଓ ପୁରୀର ଲୋକଭବନରେ ଆଗାମୀଦିନରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଲୋକମୁଖୀ କାର୍ଯ୍ୟକ୍ରମ ଆୟୋଜିତ ହେବାର ସମ୍ଭାବନା ରହିଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ଅଧିକ ସୁବିଧା, ସହଜ ପ୍ରବେଶ ଓ ସମ୍ପର୍କ ସୁନିଶ୍ଚିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ମାର୍ଗଦର୍ଶନିତ, ଏହି ପରିବର୍ତ୍ତନ ସ୍ୱଚ୍ଛତା, ସୁଗମତା ଏବଂ ଏକ ଦୃଢ଼ ଜନସାଧାରଣଙ୍କ ସଂଯୋଗ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରେ ବୋଲି ଏକ୍ସରେ କହିଛନ୍ତି ରାଜ୍ୟପାଳ ।
ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଲୋକଭବନ ନାମଟି ଲୋକଙ୍କ ସହିତ ଶାସନର ସମ୍ପର୍କକୁ ଆଉ ଦୃଢ଼ କରିବ । ଏହା ଲୋକମୁଖୀ ପ୍ରଶାସନର ଆତ୍ମାକୁ ପ୍ରତିଫଳିତ କରେ । ଯଦି ଦେଖିବା ଏହି ପଦକ୍ଷେପ ଓଡ଼ିଶାରେ ଏକ ଐତିହାସିକ ପରିବର୍ତ୍ତନ । ରାଜଭବନରୁ ଲୋକଭବନ ଏହା କେବଳ ନାମରେ ନୁହେଁ, ମନୋଭାବରେ ମଧ୍ୟ ପରିବର୍ତ୍ତନ ।







