ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ରାଜନୀତିରେ ଇଂ ବିକାଶ ମହାକୁଳ ଜଣେ ସଫଳ ରାଜନେତା ଭାବେ ବେଶ ପରିଚିତ l କଠିନ ପରିଶ୍ରମ ତଥା “ସେବା ହିଁ ସଂଗଠନ” ଉପରେ ବିଶ୍ୱାସ ରଖୁଥିବା ବିକାଶ ବିଭିନ୍ନ ସମୟରେ ସଫଳତା ମଧ୍ୟ ପାଇଛନ୍ତି l ଇଞ୍ଜିନିଅର ଚାକିରି ଛାଡ଼ି ଜନତାଙ୍କ ସେବାରେ ନିଜକୁ ସମର୍ପିତ କରି ପୂର୍ବରୁ ଛାମୁଆ ଚାଷି ସଂଗଠନ ଭାରତୀୟ କିଷାନ ସଂଘର ଜିଲ୍ଲା ସମ୍ପାଦକ ଭାବରେ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିବା ବେଳେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭାବରେ କାର୍ଯ୍ୟରତ l ଜିଲ୍ଲାର ବିକାଶ ପାଇଁ ସେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରିବା ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିଛନ୍ତି l ମାଆ ମାଟିର ସେବା ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ l ଉଦ୍ୟମ, ସାହସ, ଧୌର୍ଯ୍ୟ, ବୁଦ୍ଧି, ଶକ୍ତି, ପରାକ୍ରମ ଉପରେ ଭରସା ରଖୁଥିବା ବିକାଶ କେବେ ପଛଘୁଞ୍ଚା ଦେଇନଥିବା ବେଳେ ଆଗ ମାଟି ତାପରେ ପାର୍ଟି ବୋଲି ସ୍ପଷ୍ଟ ମତ ରଖିଛନ୍ତି l ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଚାରଧାରାରେ ଅନୁପ୍ରାଣୀତ l ବୌଦ୍ଧ ଜିଲ୍ଲାରେ ବିକାଶଙ୍କ ନେତୃତ୍ୱରେ ଆଗାମୀ ଦିନରେ ମଧ୍ୟ ଅଧିକାରର ଲଢ଼େଇ, ସ୍ୱାଭିମାନର ଲଢ଼େଇ, ଶୋଷଣ ବିରୋଧରେ ଲଢ଼େଇ ଜାରି ରହିବ l ନିନ୍ଦୁକ ଗଣ ଇଂ ବିକାଶ ମହାକୁଳଙ୍କୁ ବିନାଶ ମହାକୁଳ ବୋଲି କହୁଥିବା ବେଳେ କେହି କେହି ଚାନ୍ଦା ମଗା ଗୋଷ୍ଠୀ ବୋଲି ମଧ୍ୟ କହିଥାନ୍ତି l
ବର୍ତ୍ତମାନ ନିଜସ୍ୱ ସଂଗଠନ “ବୌଦ୍ଧ ଉନ୍ନୟନ ମଞ୍ଚ” ଗଠନ କରି ସଂଘର ସଭାପତି ଭାବରେ କାର୍ଯ୍ୟ ନିର୍ବାହ କରିବା ସହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି l ଧାନମଣ୍ଡିରେ କଟନୀ ଛଟନୀ ବନ୍ଦ, ଶ୍ରମ ବିଭାଗରେ ସଂସ୍କାର ସହ ଗରିବଙ୍କୁ ଶୋଷଣ ବନ୍ଦ, ଅନିୟମିତ ବିଜୁଳି କାଟ ଏବଂ ବିଜୁଳି ବିଭାଗର ଗରିବ ଶୋଷଣ ନୀତି ବିରୁଦ୍ଧରେ ଆନ୍ଦୋଳନ, ବୌଦ୍ଧଠାରେ ନବନିର୍ମିତ ଜିଲ୍ଲା ଚିକିତ୍ସାଳୟର ଉଦଘାଟନ, ପ୍ରତ୍ୟେକ ଦଳିତ ବସ୍ତିକୁ ଗମନା ଗମନ ସୁବିଧା, ଗୁରୁଜୀମୁଣ୍ଡା ଗ୍ରାମର ଗମ୍ଭାରୀଦର୍ହଠାରେ ମଧ୍ୟମ ଜଳ ଅମଳ ପ୍ରକଳ୍ପ, କରଞ୍ଜକଟା ପଞ୍ଚାୟତର ବାଙ୍କାର୍ଜୁନଠାରେ ନୂତନ ଜଳ ଅମଳ ପ୍ରକଳ୍ପ, ମେଗା ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଚାଷୀଙ୍କୁ ମହାନଦୀ ଏବଂ ସାଲୁଙ୍କି ନଦୀର ଜଳ ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବା ସହ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିବା ଦିଗରେ ସଂଗଠନ କାର୍ଯ୍ୟ କରୁଛି l
ବୌଦ୍ଧ ଉନ୍ନୟନ ମଞ୍ଚ ଆଗାମୀ ଦିନରେ ଲୋକଙ୍କ ପାଖରେ କେତେ ଗ୍ରହଣୀୟ ହେଉଛି ତାହା ଦେଖିବାକୁ ବାକି ରହିଲା l







