ଭୁବନେଶ୍ୱର: ବିଜେଡ଼ିରେ ନେତା ଦଳ ଛାଡ଼ିବା ନେଇ ଏବେ ଯେତିକି ଚର୍ଚା ତାଠୁ ବେଶୀ ଚର୍ଚା ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ନୀରବତାକୁ ନେଇ । ୨୦୨୪ ନିର୍ବାଚନ ପୂର୍ବରୁ ବବିଙ୍କ ଭିଣୋଇ ଅରିନ୍ଦମ ବିଜେପିରେ ମିଶିଥିଲେ । ଏବେ ବବିଙ୍କ ପାରିବାରିକ ସମ୍ପର୍କ ହିସାବରେ ଶ୍ବଶୂର ତଥା ବାଲେଶ୍ବର ପୂର୍ବତ ସାଂସଦ ରବୀନ୍ଦ୍ର ଜେନା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏକଦା ରାଜ୍ୟ ରାଜନୀତିକୁ କରାୟତ କରିଥିବା ବବିଙ୍କ ପାଇଁ ଏବେ ଏସବୁ ଅଣାୟତ ବୋଲି ଚର୍ଚା ହେଉଛି । ଏହା ପଛର ନାନା କାରଣକୁ ନେଇ ଏବେ ଉତ୍ତର, ଉପକୂଳଠୁ ଆରମ୍ଭ କରି ଉପାନ୍ତରେ ବବିଙ୍କ ନାଁକୁ ନେଇ ଆଲୋଚନା । ବିଜେଡିର ଗଡ଼ ଯାଜପୁରରେ ଦଳର ଶୋଚନୀୟ ପରାଜୟ ପରେ ସେଇଠୁ ବବିଙ୍କ ବିରୋଧରେ ଆରମ୍ଭ ହୋଇଛି ଅସନ୍ତୋଷର ସ୍ବର । ବବିଙ୍କୁ ଇଙ୍ଗିତ କରି କାଗଜ ବାଘ ବୋଲି କହି କିଛି ଦିନ ତଳେ ବେଶ ଚର୍ଚାରେ ଥିଲେ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ । ଏମିତିକି ୨୦୨୪ ନିର୍ବାଚନ ପରାଜୟ ପାଇ ଭିକେ ପାଣ୍ଡିଆନ ଓ ବବିଙ୍କ ପ୍ଲାନକୁ ଦାୟୀ କରିଥିଲେ ଦଳର ନେତା । ଏଥିପାଇଁ ଦଳର ସାଂଗଠାନିକ ନିର୍ବାଚନ ବେଳେ ବବିଙ୍କୁ କୌଣସି ବଡ଼ ପଦପଦବୀ ଦିଆଯାଇନଥିଲା । ଅସନ୍ତୋଷ ସ୍ବରୁପ ଦଳ ବବି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଅନେକ ସମୟ ମଧ୍ୟ ଅନୁପସ୍ଥିତ ରହିବା ଦେଖାଯାଇଛି ।
ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ କେଉଁଠି ବବିଙ୍କୁ ଦଖିବାକୁ ମିଳିନି । ଏହା ପଛର କାରଣକୁ ନେଇ ଅନେକ ଆଲୋଚନା । ଯାଜପୁରର ବରିଷ୍ଠ ସାମ୍ବାଦିକ ଓ ରାଜନୀତି ସମୀକ୍ଷକଙ୍କ ମତ ପୂର୍ବରୁ ବବି ନିଜ ଘର ଅର୍ଥାତ ଜିଲ୍ଲାକୁ ସଂଗଠିତ କରି ରଖିବାରେ ସକ୍ଷମ ଥିଲେ । କ୍ଷମତା ହେଉ ବା ଅନ୍ୟ ବଳରେ ନେତା ଚୁପ ଥିଲେ । ଏବେ ଜିଲ୍ଲା ବିଜେଡ଼ିରେ ଶୀତଳ ଯୁଦ୍ଧ । କୋରେଇ ଓ ଯାଜପୁର ଆସନ ବବିଙ୍କ ହାତରୁ ଗଲା ପରେ କ୍ଷମତାଶୂନ୍ୟ ବବି । ସେପଟେ ଦଳର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ମଧ୍ୟ ନାହାନ୍ତି । ଏପରିସ୍ଥଳେ ନେତାଙ୍କୁ ଏକାଠି କରିବା ବବିଙ୍କ ପାଇଁ କାଠିକର ପାଠ ବୋଲି ରାଜନୀତି ବିଶାରଦ କହିଛନ୍ତି ।
କ୍ଷମତା ଗଲା ପରେ ସାମ୍ରାଜ୍ୟ ରକ୍ଷା ଚିନ୍ତାରେ ବବି । ସିବିଆଇ ଓ ଇଡିର ଭୟ ରହିଛି । ନାଁ ଗୋପନ ରଖି ବ୍ଲାକରୋଜ ଜାହାଜ ତଦନ୍ତ କଥାକୁ ମନେ ପକାଇଛନ୍ତି କିଛି ରାଜନୀତି ସମୀକ୍ଷକ । ସେଥିପାଇଁ ବବି ବିଜେପି ବିରୋଧରେ ସ୍ବର ଶାଣିତ କରୁନଥିବା ଚର୍ଚା ହେଉଛି । ସମ୍ବଲପୁରରୁ ନିଜେ ହାରିବା ଓ କୋରେଇରେ ମା ହାରିଲା ପରେ ବବି ବାସ୍ତବତାକୁ ଫେରିଥିବା ଆଲୋଚନା ହେଉଛି । ପୂର୍ବରୁ ପରିବାର ଲୋକଙ୍କୁ ଯାଜପୁର ପାଇଁ ଛାଡ଼ି ନିଜେ ରାଜ୍ୟ ରାଜନୀତିର ମଙ୍ଗ ଧରିଥିଲେ । ୨୦୨୪ ପ୍ଲାନ ଫେଲ ପରେ ଯାଜପୁର ଫେରିଲେ ବବି । ଏଥର ସମ୍ପୂର୍ଣ୍ଣ ଯାଜପୁର ଓ କୋରେଇ ଉପରେ ଫୋକସ କରୁଥିବା ଦେଖାଯାଇଛି ।
ଗଡ଼ ରକ୍ଷା ପାଇଁ ବବି ଏବେଠୁ ପ୍ଲାନ କରୁଥିବ ଯାଜପୁର ବିଜେଡିର ଭିତିରି ମହଲରେ ଆଲୋଚନା ହେଉଛି । ଏଥିପାଇଁ ପରିବାରର ତିନି ଜଣଙ୍କୁ ଦାୟିତ୍ବ ଦେଇଛନ୍ତି । ବିବାହ, ବ୍ରତଠୁ ଆରମ୍ଭ କରି ସୁଧି ଘର । ସାମାଜିକ କାର୍ଯ୍ୟକ୍ରମଠୁ ଆରମ୍ଭ କରି ବିଭିବ୍ମ ସଂଗଠନ କାର୍ଯ୍ୟକ୍ରମ କାହାକୁ ବାଦ ଦେଉନାହାନ୍ତି । ଡାଇରି ମେଣ୍ଟନ କରି ତାରିଖ ଓ କାର୍ଯ୍ୟକ୍ରମ ଲେଖାଯାଇଛି । ଯାଜପୁର ସହର, ସଦର ପାଇଁ ଦୁଇଜଣଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ ନିଜେ କୋରେଇ ଦାୟିତ୍ବରେ ଅଛନ୍ତି ବବି । ଅଧିକାଂଶ ସମୟ ଭୁବନେଶ୍ବର ଛାଡ଼ି ଯାଜପୁରରେ ସମୟ କଟାଉଛନ୍ତି । କିଛି ନେତା ଯାଜପୁର ଆସି ବବିଙ୍କ ସହ ମିଶି ଆଗାମୀ ଦିନ ପାଇଁ ରଣନୀତି କରୁଥିବା ଆଲୋଚନା ହେଉଛି ।
ବବିଙ୍କ ନୀରବତାକୁ ନେଇ ନାନା ପ୍ରଶ୍ନ । ତେବେ ରାଜନୀତି ବିଶାରଦଙ୍କ ମତ କ୍ଷମତା ଶୂନ୍ୟ ବବି ଏବେ ବୁଝିସାରିଲେଣି ଆଗାମୀ ଦିନର କାର୍ଯ୍ୟପନ୍ଥା । ତେଣୁ ନିଜେ ଗଡ଼ ସଜାଡ଼ିବା ସହ ନିଜ ଲୋକଙ୍କୁ ସୁରକ୍ଷା ଦେଇ ନିଜେ ସୁରକ୍ଷିତ ରହିବାକୁ ସୁଚିନ୍ତିତ ପ୍ଲାନ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।






