ଭୁବନେଶ୍ୱର: ରାଜଧାନୀକୁ ଦେଶର ଏକ ନମ୍ବର ସ୍ୱଚ୍ଛ ସହର ଭାବେ ଗଢ଼ିତୋଳିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପୂର୍ବରୁ ଦୁଇଟି ବାଲ୍ଟି ବ୍ୟବହାର ହେଉଥିବା ବେଳେ ଏବେ ପ୍ରତି ଘରେ ୪ଟି ଭିନ୍ନ ରଙ୍ଗର ଡଷ୍ଟବିନ୍ ରଖିବାକୁ ବିଏମସି ପରାମର୍ଶ ଦେଇଛି। ଏଥିପାଇଁ ବିଏମସି କର୍ମଚାରୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବେ।
ନୂତନ ନିୟମ ଅନୁଯାୟୀ, ବର୍ଜ୍ୟବସ୍ତୁଗୁଡ଼ିକୁ ନିମ୍ନଲିଖିତ ଭାବେ ପୃଥକ କରାଯିବ:
ସବୁଜ ବାଲ୍ଟି: ଓଦା ବର୍ଜ୍ୟବସ୍ତୁ ପାଇଁ।
ନୀଳ ବାଲ୍ଟି: ଶୁଖିଲା ବର୍ଜ୍ୟବସ୍ତୁ ପାଇଁ।
ନାଲି ବାଲ୍ଟି: ସାନିଟାରୀ ନାପକିନ୍ ଏବଂ ସେହି ସମ୍ବନ୍ଧୀୟ ବର୍ଜ୍ୟ ପାଇଁ।
କଳା ବାଲ୍ଟି: ବିପଜ୍ଜନକ ବର୍ଜ୍ୟବସ୍ତୁ (Hazardous Waste) ପାଇଁ।
ମେୟର ସୁଲୋଚନା ଦାସ ସହରବାସୀ, ଛାତ୍ରଛାତ୍ରୀ, ସାମାଜିକ କର୍ମୀ ଏବଂ ବିଭିନ୍ନ ସଂଗଠନକୁ ଏହି ଅଭିଯାନରେ ସାମିଲ ହେବାକୁ ନିବେଦନ କରିଛନ୍ତି। ସ୍ୱଚ୍ଛତା ସର୍ବେକ୍ଷଣରେ ଭୁବନେଶ୍ୱର ପୂର୍ବରୁ ୮୪ତମ ସ୍ଥାନରୁ ୯ମ ସ୍ଥାନକୁ ଉନ୍ନୀତ ହୋଇସାରିଛି। ଏବେ ଶତପ୍ରତିଶତ ବର୍ଜ୍ୟ ପୃଥକୀକରଣ ମାଧ୍ୟମରେ ସହରକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ବିଏମସି ଲକ୍ଷ୍ୟ ରଖିଛି। ୱାର୍ଡ ସ୍ତରରେ ସଚେତନତା ସୃଷ୍ଟି କରି ସହରକୁ ଅଧିକ ନିର୍ମଳ କରିବାକୁ ସେ ଆହ୍ୱାନ ଦେଇଛନ୍ତି।








