ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଜାଡ଼ର ପ୍ରକୋପ ଜାରି ରହିଛି। ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ରାତିର ତାପମାତ୍ରା ଅହେତୁକ ଭାବେ ହ୍ରାସ ପାଇବା କାରଣରୁ ସନ୍ଧ୍ୟା ହେଉ ହେଉ ଶୀତ ମାଡ଼ି ଆସୁଛି। ବିଶେଷ କରି କଣ୍ଟାମାଳ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଗତ କିଛି ଦିନ ହେବ ଏଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରହୁଥିବା ବେଳେ ସକାଳୁ ଘନ କୁହୁଡ଼ିର ଚାଦର ସାରା ଅଞ୍ଚଳକୁ ଢାଙ୍କି ରଖୁଛି।
କୁହୁଡ଼ିର ପ୍ରଭାବ ଏତେ ଅଧିକ ରହୁଛି ଯେ ସକାଳ ୧୦ଟା ପର୍ଯ୍ୟନ୍ତ ମାତ୍ର ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନାହିଁ। ଏହି କାରଣରୁ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବା ସହ ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହିପରି ଶୀତ ଲହରୀ ଓ କୁହୁଡ଼ି ଜାରି ରହିପାରେ, ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।








