ବୌଦ୍ଧ ଜିଲ୍ଲାରେ ଖୋଲିବ ୬୧ଟି ମଣ୍ଡି ,୪୨ ପ୍ୟାକ୍ସ ଏବଂ ଗୋଟିଏ ଏସଏଚଜି କିଣିବେ ଧାନ

ବୌଦ୍ଧ ଜିଲ୍ଲାରେ ଖୋଲିବ ୬୧ଟି ମଣ୍ଡି

ବୌଦ୍ଧ(ସର୍ବେଶ୍ୱର କ୍ଷେତି): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭା ଗୃହଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ ବର୍ଷ ୨୦୨୫-୨୬ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ଡ଼ିସେମ୍ବର ୧୬ ତାରିଖ ତାରିଖରେ କଣ୍ଟାମାଳ ବ୍ଳକ ଏବଂ ୨୩ ତାରିଖରେ ବୌଦ୍ଧ ଓ ହରଭଙ୍ଗା ବ୍ଳକରେ ଧାନ ମଣ୍ଡି ଖୋଲିବା ନେଇ କମିଟିରେ ଆଲୋଚନା କରାଯାଇଥିଲା l ଜିଲ୍ଲାରେ ମୋଟ ୪୨ଟି ପ୍ୟାକ୍ସ ଏବଂ ଗୋଟିଏ ଏସଏଚଜି ମାଧ୍ୟମରେ ଧାନ କ୍ରୟ ପାଇଁ ୬୧ଟି ମଣ୍ଡି ଖୋଲିବ l ସମୁଦାୟ ୧୨ ଜଣ ମିଲରଙ୍କ ସହଯୋଗରେ ଏହା ସମ୍ପାଦିତ ହେବ l ମଣ୍ଡିର ସୁପରିଚାଳନା ପାଇଁ ଧାନ ସଂଗ୍ରହ ସମୟରେ ଚାଷୀମାନେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ଗତ ବର୍ଷ ଲକ୍ଷାଧିକ କ୍ୱିଣ୍ଟାଲ ଧାନ ସରକାର କିଣି ନଥିବା ବେଳେ ଏବେବି ତାହା ପଡ଼ି ରହିଥିବା ନେଇ ମିଲରଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା l

ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ଯୋଗ ଦେଇ ଚଳିତ ବର୍ଷ ଜିଲ୍ଲାରେ କିପରି ସୁରୁଖୁରୁରେ ଧାନ କିଣା ହେବ ସେନେଇ ଆଲୋଚନା କରିଥିଲେ l ଯେମିତି ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଚାଷୀ ଠିକ ଭାବେ ବିକ୍ରୟ କରିପାରିବେ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ l ଡିସେମ୍ବର ୧୬ ତାରିଖ ପୂର୍ବରୁ ମଣ୍ଡିରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଉପ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା ଜିଲ୍ଲାରେ ଧାନ କିଣା ସମ୍ପର୍କରେ ସୂଚନା ଦେଇଥିଲେ l

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପଞ୍ଜିକୃତ ଏବଂ ଯାଞ୍ଚ ପରେ ସ୍ଥିର ହୋଇଥିବା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଅପେକ୍ଷାକୃତ କମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା l ଯୋଗାଣ ବିଭାଗର ସୂଚନା ମୁତାବକ ଗତ ବର୍ଷ ଜିଲ୍ଲାରେ ପ୍ରାୟ ୪୩,୧୨୦ ଜଣ ଚାଷି ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ l ଯାଞ୍ଚ ପରେ ମୋଟ ୪୩,୧୦୯ ଜଣ ଚାଷୀଙ୍କ ଠାରୁ ମୋଟ ୨୦,୪୩,୯୮୫.୨୯ କ୍ୱିଣ୍ଟାଲ ଧାନ କିଣା ଯାଇଥିଲା l ଚଳିତ ବର୍ଷ ୪୫,୯୯୧ ଜଣ ଚାଷି ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ୪୫,୪୬୬ ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସ୍ଥିର ହୋଇଛି l ଯାହାକି ଲକ୍ଷ୍ୟ ଧାର୍ଯ୍ୟର ୯୯.୯୬% ଥିଲା l

ଚଳିତ ବର୍ଷ ଜିଲ୍ଲାର ଧାର୍ଯ୍ୟ ଲକ୍ଷ୍ୟ ୧୨ ଲକ୍ଷ ୨୬ ହଜାର କ୍ୱିଣ୍ଟାଲ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଆବଶ୍ୟକ ମୁତାବକ ବୃଦ୍ଧି କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ମତ ପ୍ରକାଶ କରିଥିଲେ l ବୈଠକରେ ଜିଲ୍ଳାର ସମସ୍ତ ମିଲର, ବିଭାଗୀୟ ଅଧିକାରୀମାନଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ l ସେପଟେ ମିଲରମାନଙ୍କ ପାଖରେ ଚାଉଳ ଗଚ୍ଛିତ ଥିବା ବେଳେ ତାର ସମାଧାନ ପାଇଁ ବୌଦ୍ଧ ବିଧାୟକ ଆଲୋଚନା କରିଥିଲେ l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories