୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଜବତ: ମା’ ଓ ପୁଅ ଗିରଫ, ଜଣେ ଫେରାର

୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଜବତ: ମା' ଓ ପୁଅ ଗିରଫ, ଜଣେ ଫେରାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ଗୁପ୍ତ ସୂତ୍ରରୁ ଖବର ପାଇ ଅବକାରୀ ଟିମ୍ କାମାକ୍ଷାନଗରର ମୁଣ୍ଡିଦେଉଳି ସାହିରେ ଚଢ଼ାଉ କରି ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ ମା’ ଓ ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଅଭିଯୁକ୍ତର ସାନଭାଇ ଘଟଣାସ୍ଥଳରୁ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଅବକାରୀ ବିଭାଗର ସୂଚନା ଅନୁସାରେ, ଏହି ବ୍ରାଉନ ସୁଗାର କାରବାର ସମ୍ପର୍କରେ ଖବର ମିଳିବା ପରେ କାମାକ୍ଷାନଗର ଅବକାରୀ ଟିମ୍ ତୁରନ୍ତ ମୁଣ୍ଡିଦେଉଳି ସାହିରେ ଥିବା ଏକ ଭଡ଼ା ଘର ଉପରେ ଚଢ଼ାଉ କରିଥିଲା। ପ୍ରଥମେ ଘରେ ଉପସ୍ଥିତ ଥିବା ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ସାହୁଙ୍କୁ ଅବକାରୀ ଟିମ୍ ଧରିଥିଲା। ପରେ ଘର ଭିତରେ ତଲାସି କରାଯିବାରୁ ସେଠାରୁ ବହୁ ପରିମାଣର ବ୍ରାଉନ ସୁଗାର ମିଳିଥିଲା, ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ।

ବ୍ରାଉନ ସୁଗାର ଜବତ ହେବା ପରେ ଅବକାରୀ ଟିମ୍ ଆଶୁତୋଷ ସାହୁଙ୍କ ସହ ତାଙ୍କ ମା’ ମମତା ସାହୁଙ୍କୁ ମଧ୍ୟ ଗିରଫ କରିଛି। ମା’ ଓ ପୁଅ ଉଭୟ ଏହି ବ୍ରାଉନ ସୁଗାର ବେପାରରେ ଲିପ୍ତ ଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗର ଟିମ୍ ଚଢ଼ାଉ କରୁଥିବା ସମୟରେ ଅଭିଯୁକ୍ତ ଆଶୁତୋଷର ସାନଭାଇ ବିକାଶ ସାହୁ ଘଟଣାସ୍ଥଳରୁ କୌଶଳକ୍ରମେ ଖସି ଯିବାରେ ସଫଳ ହୋଇଥିଲା। ସେ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଅବକାରୀ ସୂତ୍ରରୁ ପ୍ରକାଶ। ଫେରାର ଥିବା ବିକାଶକୁ ଧରିବା ପାଇଁ ଅବକାରୀ ଟିମ୍ ତଦନ୍ତ ଜାରି ରଖିଛି।

ଗିରଫ ହୋଇଥିବା ଅଭିଯୁକ୍ତ ମା’ ଓ ପୁଅଙ୍କ ଘର କାମାକ୍ଷାନଗର ଥାନା ଅଧୀନରେ ଥିବା କାଦୁଆ ପଞ୍ଚାୟତର ଗାଲୁ ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ସେମାନେ ମୁଣ୍ଡିଦେଉଳି ସାହିରେ ଏକ ଭଡ଼ା ଘରେ ରହି ବେଆଇନ ଭାବେ ଏହି ବ୍ରାଉନ ସୁଗାର କାରବାର କରୁଥିଲେ।

ଏତେ ପରିମାଣର ନିଶାଦ୍ରବ୍ୟ ଜବତ ହେବା ପରେ ଏହା ଏକ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ରାକେଟ୍ ଆଡ଼କୁ ଇସାରା କରୁଛି। ଗିରଫ ହୋଇଥିବା ମା’ ଓ ପୁଅଙ୍କୁ ଅଧିକ ପଚରାଉଚରା କରାଯାଉଛି ଏବଂ ଏହି କାରବାରର ମୂଳକୁ ଯିବା ପାଇଁ ଅବକାରୀ ଟିମ୍ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories