ବଜେଟ୍ ଅଧିବେଶନ: ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବ ଓଡ଼ିଶା, ବିଧାନସଭାରେ ରାଜ୍ୟପାଳଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଆଜି ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଛି। “ଜୟ ଜଗନ୍ନାଥ” ସ୍ମରଣ କରି ରାଜ୍ୟପାଳ ନିଜ ଅଭିଭାଷଣ ରଖିବା ସହ ଓଡ଼ିଶାକୁ ‘ବିକଶିତ ଭାରତ’ର ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବେ ଗଢ଼ିତୋଳିବାକୁ ସରକାରଙ୍କ ସଂକଳ୍ପ ବିଷୟରେ କହିଛନ୍ତି।

ଶିଳ୍ପ ଓ ଭିତ୍ତିଭୂମି ବିକାଶ:

ରାଜ୍ୟପାଳ କହିଛନ୍ତି ଯେ ୨୦୩୬ ମସିହାରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟକୁ ଏକ ସମୃଦ୍ଧ ଓ ସଶକ୍ତ ପ୍ରଦେଶ ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି ଓଡ଼ିଶାକୁ ଏକ ସେମିକଣ୍ଡକ୍ଟର ହବ୍ ଭାବେ ବିକଶିତ କରାଯିବ। ବର୍ତ୍ତମାନ ରାଜ୍ୟ ଦେଶର ୨୩ ପ୍ରତିଶତ ଇସ୍ପାତ ଉତ୍ପାଦନ କରୁଥିବାବେଳେ, ୨୦୩୦ ସୁଦ୍ଧା ଏହାକୁ ୧୦୦ ମିଲିୟନ ଟନକୁ ବୃଦ୍ଧି କରିବାକୁ ଯୋଜନା ରହିଛି।

ନୂତନ ପ୍ରକଳ୍ପ ଓ ନିଯୁକ୍ତି:

ଭିତ୍ତିଭୂମି: ଭୁବନେଶ୍ୱରର ଜୟଦେବ ବିହାର-ନନ୍ଦନକାନନ ରୋଡରେ ଫ୍ଲାଏଓଭର ଏବଂ କଟକ-ଭୁବନେଶ୍ୱର-ଖୋର୍ଦ୍ଧାକୁ ସଂଯୋଗ କରୁଥିବା ଏକ ରିଂ ରୋଡ୍ ନିର୍ମାଣ କରାଯାଉଛି।

ନିଯୁକ୍ତି: ‘ମେକ୍ ଇନ୍ ଓଡ଼ିଶା’ ଅଧୀନରେ ୨ ଲକ୍ଷ କୋଟି ଟଙ୍କାର ୮୫ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ଯାହା ପ୍ରାୟ ୪.୬୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ମହିଳା ସଶକ୍ତିକରଣ: ରାଜ୍ୟରେ ପ୍ରାୟ ୧୬.୪୨ ଲକ୍ଷ ମହିଳାଙ୍କୁ ‘ଲକ୍ଷ୍ମୀପତି ଦିଦି’ ଭାବେ ଗଢ଼ିବାରେ ସଫଳତା ମିଳିଛି।

ରାଜ୍ୟପାଳଙ୍କ ଅଭିଭାଷଣରେ କେନ୍ଦ୍ର ସରକାରଙ୍କ ସହଯୋଗ ଓ ‘ଆତ୍ମନିର୍ଭର ଓଡ଼ିଶା’ ଗଠନ ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରଦାନ କରାଯାଇଛି।

Latest Stories