ସୁନା କିଣିବା ଏବେ ସ୍ୱପ୍ନ! ୧ ଲକ୍ଷ ୩୮ ହଜାର ଟପିଲା ଦର, ଭାଙ୍ଗିଲା ସବୁ ରେକର୍ଡ

ସୁନା କିଣିବା ଏବେ ସ୍ୱପ୍ନ! ୧ ଲକ୍ଷ ୩୮ ହଜାର ଟପିଲା ଦର, ଭାଙ୍ଗିଲା ସବୁ ରେକର୍ଡ

ଭୁବନେଶ୍ୱର: ସାଧାରଣ ଲୋକଙ୍କ ପହଞ୍ଚରୁ ଦୂରେଇ ଯାଉଛି ସୁନା। ରାଜ୍ୟ ତଥା ଦେଶରେ ସୁନା ଦର ଏବେ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ସୁନା ମୂଲ୍ୟରେ ପ୍ରାୟ ୩୨୦୦ ଟଙ୍କାରୁ ଅଧିକ ବୃଦ୍ଧି ଘଟି ନିବେଶକ ଓ ଗ୍ରାହକଙ୍କୁ ଚକିତ କରିଛି। ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୩୮,୫୫୦ ଟଙ୍କା ଛୁଇଁଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧,୨୭,୦୦୦ ଟଙ୍କାରେ ପହଞ୍ଚିଛି।

ଦେଶର ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ସୁନା ଦରରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ସର୍ବାଧିକ ୧,୩୮,୭୦୦ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ଏହା ୧,୩୯,୩୧୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇ ଓ କୋଲକାତାରେ ଭୁବନେଶ୍ୱର ଭଳି ସମାନ ଦର (୧,୩୮,୫୫୦ ଟଙ୍କା) ରହିଛି। ସୁନା ସହ ରୁପା ଦର ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହା କିଲୋଗ୍ରାମ ପିଛା ଏବେ ୨,୨୩,୦୦୦ ଟଙ୍କାରେ ବିକ୍ରି ହେଉଛି।

ସୁନା ଦର ବୃଦ୍ଧି ପଛରେ ଅନେକ ଆନ୍ତର୍ଜାତୀୟ ଓ ଘରୋଇ କାରଣ ରହିଛି:

  • ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଅସ୍ଥିରତା ଯୋଗୁଁ ନିବେଶକମାନେ ସେୟାର ବଜାର ଅପେକ୍ଷା ସୁନାକୁ ଅଧିକ ସୁରକ୍ଷିତ ମଣୁଛନ୍ତି।
  • ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଫଳରେ ସୁନା ଆମଦାନୀ ମହଙ୍ଗା ହେଉଛି।
  • ଚୀନ୍‌ ନିଜ କେନ୍ଦ୍ରୀୟ ବ୍ୟାଙ୍କରେ ଡଲାର ଉପରୁ ନିର୍ଭରତା କମାଇବା ପାଇଁ ଗୋଟିଏ ବର୍ଷରେ ୯୦୦ ଟନ୍‌ରୁ ଅଧିକ ସୁନା କିଣି ସାରିଛି। ବିଶ୍ୱର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ସୁନା ଭଣ୍ଡାର ବୃଦ୍ଧି କରୁଥିବାରୁ ଚାହିଦା ବଢ଼ିଛି।
  • ଭାରତରେ ଏବେ ବିବାହ ଋତୁ ଚାଲିଥିବାରୁ ସ୍ଥାନୀୟ ବଜାରରେ ସୁନାର ଚାହିଦା ଖୁବ୍ ଅଧିକ ରହିଛି, ଯାହା ଦରକୁ ଆହୁରି ଉପରକୁ ନେଉଛି।

ସୁନା ଦର ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିବାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ ଗହଣା କିଣିବା ପାଇଁ ଦ୍ୱିଧାବୋଧ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ, ଯଦି ବିଶ୍ୱବ୍ୟାପୀ ଅର୍ଥନୈତିକ ସ୍ଥିତିରେ ସୁଧାର ନଆସେ, ତେବେ ଆଗାମୀ ଦିନରେ ସୁନା ଦର ଆହୁରି ନୂଆ ଉଚ୍ଚତାକୁ ଛୁଇଁପାରେ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories