କଣ୍ଟାମାଳ/ବୌଦ୍ଧ(ସର୍ବେଶ୍ୱର କ୍ଷେତି): କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଥାନା ଗୁଦଗୁଦା ହାଟରେ ଗୋଷ୍ଠି ସଂଘର୍ଷ ଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି l ଗୋରୁ ବେପାରକୁ କେନ୍ଦ୍ର କରି ହାଟରେ ଦୁଇ ଭାଇଙ୍କୁ ନିସ୍ତୁକ ମାଡ଼ ଦିଆଯାଇଛି l ମାଡରେ ଜଣେ ଭାଇ ମୃତ ଏବଂ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ବାଉଁଶୁଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ମୃତ ଜଣକ ହେଲେ ବାଉଁଶୁଣୀ ଥାନା ତାଲୁପାଲି ଗ୍ରାମର ରମଣୀ ମହାକୁଡ଼ ଓ ଗୁରୁତର ରମଣୀଙ୍କ ଭାଇ ରତ୍ନାକର ମହାକୁଡ଼ l ଘଟଣା ସ୍ଥଳରେ ମନମୁଣ୍ଡା ଥାନା ଓ ବାଉଁଶୁଣୀ ଥାନା ପୋଲିସ ସହ ବୋୖଦ୍ଧ ଏସଡ଼ିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ, ଗୁଦଗୁଦା ହାଟରେ ବାଉଁଶୁଣୀ ଥାନା ତାଲୁପାଲି ଗ୍ରାମର ରମଣୀ ମହାକୁଡ଼ ଓ ରତ୍ନାକର ମହାକୁଡ଼ ଦୀର୍ଘ ଦିନ ହେଲା ଗୋରୁ ବେପାର କରି ଆସୁଥିଲେ l ଆଜି ହଠାତ କୌଣସି କାରଣରୁ ବିରୋଧି ଗୋଷ୍ଠୀ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ l ଆକ୍ରମଣରେ ଦୁଇ ଭାଇ ଗୁରୁତର ହୋଇ ପଡ଼ିଥିଲେ l
ସୂଚନା ପାଇ ବୌଦ୍ଧ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଗୁରୁତର ରତ୍ନାକରଙ୍କୁ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ହସ୍ପିଟାଲ ଓ ଅନ୍ୟ ଭାଇ ରମଣୀଙ୍କୁ ନିଜ ଗାଡିରେ ମନମୁଣ୍ଡା ହସ୍ପିଟାଲକୁ ଆଣିଥିଲେ l ପରେ ଦୁଇ ଭାଇଙ୍କ ଚିକିତ୍ସା ଚାଲିଥିବା ବେଳେ ରମଣୀ ମହାକୁଡ଼ ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି l ଅନ୍ୟପଟେ ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ମାରିଛନ୍ତି ଅଭିଯୁକ୍ତ l ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l







