୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ସୁଭଦ୍ରା ସହାୟତା ରାଶି

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ସୁଭଦ୍ରା ସହାୟତା ରାଶି

ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ୧୫ ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି ପ୍ରଦାନ କଲେଣି ସରକାର

ଭୁବନେଶ୍ୱର: ଓଡ଼ିଶାର ସର୍ବ ବୃହତ ମହିଳା କେନ୍ଦ୍ରିକ କଲ୍ୟାଣ ଯୋଜନା ସୁଭଦ୍ରାର ପ୍ରାୟ ୪ ଲକ୍ଷ ୫୭ ହଜାର ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩୧୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ରାଶି DBT ମାଧ୍ୟମରେ ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟଯେ, ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ, ଦ୍ବିତୀୟ ଅବଶିଷ୍ଟ ଏବଂ ତୃତୀୟ କିସ୍ତି ପାଇନଥିବା ହିତାଧିକାରୀଙ୍କୁ ଏବଂ ନୂତନ ଭାବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଜୀକୃତ ହୋଇଥିବା ହିତାକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି ।

 

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ବାର୍ଷିକ ୧୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା “ସୁଭଦ୍ରା” ହେଉଛି ସ୍ଵାଧୀନତା ପରବର୍ତ୍ତୀ ଓଡିଶାର ସର୍ବବୃହତ୍ ମହିଳା କୈନ୍ଦ୍ରିକ ଯୋଜନା, ଯେଉଁଥିରେ ୨୧ ରୁ ୬୦ ବର୍ଷ ବୟସର ୧ କୋଟିରୁ ଉର୍ଦ୍ଧ୍ଵ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ମଧ୍ୟରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ, ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି। ସେଇଥିପାଇଁ “ସୁଭଦ୍ରା” ଓଡ଼ିଶାର ସମସ୍ତ ମା’ ଭଉଣୀଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଜ୍ଵଳନ୍ତ ନିଦର୍ଶନ।

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ସୁଭଦ୍ରା ସହାୟତା ରାଶି

ଆମ ସରକାର ଆସିବାମାତ୍ରେ ପ୍ରଥମ ଦିନରେ ହିଁ ଏଥିପାଇଁ କ୍ଯାବିନେଟରେ ନିଷ୍ପତ୍ତି ହୋଇ ସେପ୍ଟେମ୍ବର ୧୭, ୨୦୨୪ ତାରିଖରେ ପ୍ରଥମ କିସ୍ତି ଦିଆ ଯାଇଥିଲା। ସୁଭଦ୍ରା ଯୋଜନାର ଶୁଭାରମ୍ଭ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭବ୍ୟ ଉପସ୍ଥିତିରେ ଭୁବନେଶ୍ଵରଠାରେ ଆରମ୍ଭ ହୋଇଥିଲା ଏବଂ ଅଦ୍ୟାବଧି, ଏକ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ତିନୋଟି କିସ୍ତିରେ ମୋଟ ୧୫ ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି ପ୍ରଦାନ କରି ସାରିଲୁଣି । ଏହି ଦୁଇଟି କିସ୍ତିକୁ ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କ ଜୀବନର ଏକାଧିକ ଦିଗରେ ଉନ୍ନତ କରିବାର ଲକ୍ଷ୍ୟ ରଖିଛନ୍ତି ଯାହା କ୍ରମଶ ସଫଳ ହେବାରେ ଲାଗିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମହିଳା ସଶକ୍ତିକରଣ ଓ ସେମାନଙ୍କ ଆର୍ଥିକ ସ୍ୱାବଲମ୍ବିତା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆର୍ଥିକ ସ୍ୱାଧୀନତା ଆତ୍ମବିଶ୍ୱାସ ଆଣିଥାଏ। ଯେତେବେଳେ ଜଣେ ମହିଳାଙ୍କ ହାତରେ ଟଙ୍କା ଥାଏ, ପରିବାର ଏବଂ ସମାଜରେ ତାଙ୍କର ସ୍ୱର ଅଧିକ ଶକ୍ତିଶାଳୀ ହୋଇଯାଏ । ସେ ନିଷ୍ପତ୍ତି ନେଇପାରନ୍ତି, ଭବିଷ୍ୟତ ପାଇଁ ଯୋଜନା କରିପାରନ୍ତି ଏବଂ ସାହସର ସହିତ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହୋଇପାରନ୍ତି । ସୁଭଦ୍ରା ଯୋଜନା ଆପଣଙ୍କୁ ସେହି ଆତ୍ମବିଶ୍ୱାସ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଯୋଜନା ସାମାଜିକ ନ୍ୟାୟ ମଧ୍ୟ ପ୍ରଦାନ କରୁଛି । ଏହା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ, ଗ୍ରାମାଞ୍ଚଳ, ଆଦିବାସୀ ସମ୍ପ୍ରଦାୟ, ସହରାଞ୍ଚଳ ଗରିବ ପରିବାର ଏବଂ ସାହାଯ୍ୟର ଆବଶ୍ୟକତା ଥିବା ସମସ୍ତ ମହିଳା ଓ ସେମାନଙ୍କ ପରିବାରଙ୍କୁ ସମର୍ଥନ କରିବା ଉପରେ ଧ୍ୟାନ ଦିଏ । କାରଣ ଆମର ଲକ୍ଷ୍ୟ ହେଉଛି, ବିକାଶ ଯାତ୍ରାରେ କେହି ପଛରେ ରହିବା ଉଚିତ୍ ନୁହେଁ।

ଆମ ସରକାର କେବଳ ସୁଭଦ୍ରା ଯୋଜନାରେ ସୀମାବଦ୍ଧ ହୋଇ ରହି ନାହାନ୍ତି। ଚଳିତ ବଜେଟରେ ରେକର୍ଡ ୮୯ ହଜାର ୮୬୨ କୋଟି ଟଙ୍କା କେବଳ ମା’ ମାନଙ୍କ ପାଇଁ ପ୍ରାବଧାନ କରାଯାଇଛି। ଏହି ପ୍ରାବଧାନ ମୋଟ ବଜେଟ ଆକାରର ପ୍ରାୟ ୩୦ ପ୍ରତିଶତ। ସୁଭଦ୍ରା ଯୋଜନାରେ ଦିଆଯାଇଥିବା ତିନୋଟି କିସ୍ତିର ସହାୟତା ରାଶି ରାଜ୍ୟର ମହିଳାମାନଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ୍ କରିବା ସହ ମହିଳାଙ୍କ ବିକାଶକୁ ଏକ ବଳ ଯୋଗାଇଛି । ଏହି ଧାରାକୁ ବଜାୟ ରଖିବା ସହ ସରକାର ପ୍ରତିଶ୍ରୁତିବଦ୍ଧ । ସୁଭଦ୍ରା ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁନାହୁଁ ବରଂ ଶିକ୍ଷା, ଦକ୍ଷତା, ଏବଂ ରୋଜଗାରର ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ମଧ୍ୟ ଦୂର କରୁଛୁ ବୋଲି ସେ କହିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ ସୁଭଦ୍ରା ଯୋଜନା ଶିଖାଇ ଦେଇଛି ଯେ ମହିଳା ଟିଏ ନିଜ ବଳରେ ନିଜର ଉଦ୍ୟମିତା ଆରମ୍ଭ କରିପାରେ। ସମ୍ମାନ, ସ୍ୱାବଲମ୍ବୀ ଓ ସ୍ୱାଭିମାନର ଲକ୍ଷ୍ୟ ନେଇ ଆମେ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ ହୋଇପାରିବ।

ଏହି ଅବସରରେ ୫ ସଫଳ ସୁଭଦ୍ରା ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ଏବଂ ସହାୟତା ରାଶି ଚେକ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ଶ୍ରୀ ମହିଳା ଓ ଶିଶୁବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଏବଂ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ ପ୍ରମୁଖ ମଂଚାସୀନ ଥିଲେ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories