ଆୟୁର୍ବେଦିକ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଷ୍ଟାଇପେଣ୍ଡରେ ହେଲା ଉଲ୍ଲେଖନୀୟ ବୃଦ୍ଧି

ଆୟୁର୍ବେଦିକ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜଗୁଡ଼ିକରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡକୁ ବୃଦ୍ଧି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବ ଏବଂ ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ ।

ପ୍ରଥମ ବର୍ଷର ପିଜି ଛାତ୍ରଛାତ୍ରୀମାନଙ୍କ ଷ୍ଟାଇପେଣ୍ଡରେ ସର୍ବାଧିକ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ₹୩୧,୦୦୦ ଥିଲା ଏବଂ ବର୍ତ୍ତମାନ ₹୪୮,୦୦୦କୁ ବୃଦ୍ଧି ପାଇଛି । ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ₹୩୨,୦୦୦ରୁ ବଢ଼ି ୬୨ ପ୍ରତିଶତ ବୃଦ୍ଧି ସହ ₹୫୨,୦୦୦ ହୋଇଛି । ସେହିପରି, ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭ ପ୍ରତିଶତ ବୃଦ୍ଧି ପାଇ ₹୩୩,୦୦୦ରୁ ₹୫୫,୦୦୦କୁ ବୃଦ୍ଧି କରାଯାଇଛି । ଏହି ଉଲ୍ଲେଖନୀୟ ବୃଦ୍ଧି ନିଶ୍ଚିତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବ ।

ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡକୁ ମଧ୍ୟ ବୃଦ୍ଧି କରିଛନ୍ତି । ସେମାନଙ୍କର ମାସିକ ଷ୍ଟାଇପେଣ୍ଡ ₹୧୭,୦୦୦ରୁ ବୃଦ୍ଧି ପାଇ ₹୩୦,୦୦୦ କୁ କରାଯାଇଛି । ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁ କରାଯିବ ।

ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଏହି ନିଷ୍ପତ୍ତି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ରୋଗୀ ସେବାରେ ଅଧିକ ମନୋନିବେଶ କରିବା ପାଇଁ ସୁଯୋଗ ଦେବ ଏବଂ ଏହାଦ୍ୱାରା ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ମାନରେ ଉନ୍ନତି ଆସିବ । ଏହି ପଦକ୍ଷେପ ଆୟୁର୍ବେଦ ଏବଂ ହୋମିଓପାଥିକ୍ ଚିକିତ୍ସା ପ୍ରତି ଯୁବବର୍ଗଙ୍କୁ ଆକର୍ଷିତ କରିବାରେ ସହାୟକ ହେବ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories