ସବୁ ବର୍ଷ ପରି ଏଥର ମଧ୍ୟ ଦିଲ୍ଲୀ ବାୟୁ ଗୁଣାବତ୍ତା ଚରମରେ । ଯାହାକୁ ପ୍ରତିବାଦ କରି ଦିଲ୍ଲୀବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତ କିଛି ଦିନ ହେବ ଜାତୀୟ ରାଜଧାନୀରେ ହଜାର ହଜାର ଲୋକେ ଆନ୍ଦୋଳନରେ ବସିଥିବା ବେଳେ ଗତକାଲି ସନ୍ଧ୍ୟାରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି । କିଛି ଆନ୍ଦୋଳନକାରୀ ପୋଲିସ ଉପରକୁ ଲଙ୍କା ଗୁଣ୍ଡ ସ୍ପ୍ରେ କରିବା ସହ ଏନକାଉଣ୍ଟରରେ ନିପାତ ହୋଇଥିବା କୁଖ୍ୟାତ ମାଆବାଦୀ ମାଡଭି ହିଡମା ସମର୍ଥନରେ ସ୍ଲୋଗାନ୍ ଦେଇଛନ୍ତି । ଏହାକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ପ୍ରଦର୍ଶନକାରୀମାନେ କୌଣସି ଅନୁମତି ନ ନେଇ ଇଣ୍ଡିଆ ଗେଟର ରାସ୍ତା ମଝିରେ ପ୍ଲାଏକାର୍ଡ ଦେଖାଇ ସ୍ଲୋଗାନ୍ ଦେଇଥିଲେ । ଯେତେବେଳେ ପୋଲିସ ହସ୍ତକ୍ଷେପ କରି ପ୍ରଦର୍ଶନକାରୀମାନଙ୍କୁ ପ୍ରତିବାଦ ବନ୍ଦ କରିବାକୁ ଅନୁରୋଧ କରିଥିଲା, ସେମାନେ ଲଙ୍କାଗୁଣ୍ଡ ସ୍ପ୍ରେ କରି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲ । ଏପରିକି ନିପାତ ମାଓବାଦୀ “ମାଡଭି ହିଡମା ଅମର ରହେ” ଭଳି ସ୍ଲୋଗାନ ଦେଇଥିଲେ ।
କେବଳ ଏତିକି ନୁହେଁ, ଜଣେ ବ୍ୟକ୍ତି ଧରିଥିବା ପୋଷ୍ଟରରେ ଲେଖାଥିଲା: “ବିର୍ସା ମୁଣ୍ଡାଠାରୁ ମାଡଭି ହିଡମା ପର୍ଯ୍ୟନ୍ତ, ଆମର ଜଙ୍ଗଲ ଏବଂ ପରିବେଶର ସଂଘର୍ଷ ଜାରି ରହିବ”। ଆନ୍ଦୋଳନକାରୀଙ୍କ ଲଙ୍କା ସ୍ପ୍ରେରେ ତିନିରୁ ଚାରି ଜଣ ପୋଲିସ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ରାମ ମନୋହର ଲୋହିଆ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ହିଂସାକାଣ୍ଡରେ ପୋଲିସ ଏପର୍ଯ୍ୟନ୍ତ ୨୨ ଜଣଙ୍କୁ ଗିରଫ କରିଛି । କାର୍ତ୍ତବ୍ୟପଥ ପୋଲିସ ଷ୍ଟେସନରେ ୬ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ବାକି ୧୭ ଜଣଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ରଖାଯାଇଛି । ଯେଉଁମାନେ ମାଓବାଦୀଙ୍କ ସମର୍ଥନରେ ସ୍ଲୋଗାନ ଦେଇଛନ୍ତି ସମସ୍ତଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ପୋଲିସ ଅଧିକାରୀ ।
ପ୍ରକାଶ ଥାଉ କି, କୁଖ୍ୟାତ ମାାଓବାଦୀ ହିଡମା ନଭେମ୍ବର ୧୮ରେ ଆନ୍ଧ୍ରପ୍ରଦେଶରେ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ୨୬ଟି ମାଓ ଆକ୍ରମଣରେ ସାମିଲ ଥିଲା ହିଡମା । ହିଡମା ସାମିଲ ଥିବା ମାଓ ହମଲା ମଧ୍ୟରୁ ୨୦୧୦ ଦାନ୍ତେୱାଡା ଆକ୍ରମଣ ସବୁଠୁ ଭୟଙ୍କର ଥିଲା, ଯେଉଁଥିରେ ୭୬ ଜଣ ସିଆରପିଏଫ ଯବାନଙ୍କ ଜୀବନ ଯାଇଥିଲା ଏବଂ ୨୦୧୩ରେ ଝିରମ ଘାଟିରେ ହୋଇଥିବା ଆକ୍ରମଣ, ଯେଉଁଥିରେ ପ୍ରମୁଖ କଂଗ୍ରେସ ନେତାଙ୍କ ସମେତ ୨୭ ଜଣ ପ୍ରାଣ ହରାଇଥିଲେ । କେବଳ ଏତିକି ନୁହେଁ, ୨୦୨୧ ସୁକମା-ବିଜାପୁର ଆକ୍ରମଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା ହିଡମା, ଯେଉଁଥିରେ ୨୨ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ।








