ଭୁବନେଶ୍ବର: କଲମ୍ବୋରେ ବିଶ୍ବବିଜେତା ହୋଇ ଓଡ଼ିଶା ଫେରିଛନ୍ତି ଦୃଷ୍ଟିବାଧିତ ଓଡ଼ିଆ କ୍ରିକେଟ ଖେଳାଳୀ । ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପ୍ ରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ।
ଓଡ଼ିଶାରୁ 4 ଖେଳାଳୀ- ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ପ୍ରତିନିଧିତ୍ବ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା- ତେବେ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବର୍ଦ୍ଧିତ କରିଥିଲେ । ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ, ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ।
ପ୍ରତ୍ୟେକ ଓଡିଆଙ୍କ ପାଇଁ ପ୍ରେରଣା- ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କର ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି କହିଥିଲେ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଆପଣମାନେ ପ୍ରେରଣା ହୋଇଛନ୍ତି ବୋଲି ମତ ଦେଇ ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ସେ ଖେଳାଳୀମାନଙ୍କୁ ଉପଦେଶ ଦେଇଥିଲେ ।
ଏହି ଅବସରରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଦଳର କୋଚ ଦେବାଶିଷ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ନଭେମ୍ବର 23ରେ ଇତିହାସ ରଚିଥିଲା ଦଳ- ନଭେମ୍ବର 23 ତାରିଖରେ କଲମ୍ବୋରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ମାତ୍ର 12 ଓଭରରେ ନେପାଳକୁ 7 ଓ୍ବିକେଟରେ ପରାସ୍ତ କରି ଇତିହାସ ରଚିଥିଲା ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ । ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଥିଲା।
ମହିଳା କ୍ରିକେଟ ଦଳ ବାଜି ମାରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଅଭିନନ୍ଦନ ଜଣାଇଥିଲେ । ଆଜି ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।







