କନଷ୍ଟେବଳ ଶୁଭମିତ୍ରା ହତ୍ୟା: ସ୍ୱାମୀ ଦୀପକ ଗିରଫ, ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

କନଷ୍ଟେବଳ ଶୁଭମିତ୍ରା ହତ୍ୟା: ସ୍ୱାମୀ ଦୀପକ ଗିରଫ, ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ବହୁ ଚର୍ଚ୍ଚିତ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ଭୁବନେଶ୍ୱର କ୍ୟାପିଟାଲ ପୋଲିସ୍ ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ପ୍ରାୟ ୬୮୦ ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟ୍ରେ ହତ୍ୟାକାଣ୍ଡର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି ୪୨ ଜଣ ସାକ୍ଷୀ। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଦଫା ୧୦୩(୧), ୨୩୮ ଓ ୬୧(୨) ଲାଗୁ କରାଯାଇଛି।

ହତ୍ୟାର କାରଣ:

ପୋଲିସ୍ ଦାଖଲ କରିଥିବା ଚାର୍ଜସିଟ୍ ଅନୁଯାୟୀ, ଶୁଭମିତ୍ରାଙ୍କ ସ୍ୱାମୀ ତଥା କମିଶନରେଟ୍ ପୋଲିସର କିରାଣି ଦୀପକ ରାଉତ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏହା ସହିତ ଦୀପକର ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁ, ଏବଂ ଅନ୍ୟ ଦୁଇଜଣ ଜଟିଆ ଓ ସମ୍ଭୁ ମହନ୍ତଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।

ଚାର୍ଜସିଟ୍‌ରେ ଦର୍ଶାଯାଇଥିବା ମୁଖ୍ୟ କାରଣ ହେଉଛି ଟଙ୍କା ନେଣଦେଣ ବିବାଦ। ବିଧିବଦ୍ଧ ଭାବେ ବାହାଘର କରିବାକୁ ଶୁଭମିତ୍ରା ଦୀପକକୁ ଧାର ସୂତ୍ରରେ ଦେଇଥିବା ଟଙ୍କା ଫେରାଇ ମାଗିବାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହା ସହିତ ଶୁଭମିତ୍ରାଙ୍କ ମୃତ୍ୟୁ ପରେ ଟଙ୍କା ହାତେଇବାକୁ ଦୀପକ ତାଙ୍କ ନାମରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ଦୀପକ ପୂର୍ବରୁ ଶୁଭମିତ୍ରାଙ୍କଠାରୁ ପ୍ରାୟ ୧୦ରୁ ୧୨ ଲକ୍ଷ ଟଙ୍କା ଧାର ନେଇଥିଲା ଏବଂ ସେହି ଟଙ୍କାରେ ଜମି ମଧ୍ୟ କିଣିଥିଲା।

ସୁଚନାଯୋଗ, ସେପ୍ଟେମ୍ବର ୬, ୨୦୨୫: ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ ନିଖୋଜ ହୋଇଥିଲେ। ସେହି ଦିନ ହିଁ ଦୀପକ ରାଉତ ତାଙ୍କୁ ଭୁବନେଶ୍ୱର ର ସୂର୍ଯ୍ୟ ନଗର ଅଞ୍ଚଳ ନିକଟରେ ନିଜ କାର୍ ରେ ତଣ୍ଟି ଚିପି ହତ୍ୟା କରିଥିଲା।

• ସେପ୍ଟେମ୍ବର ୭, ୨୦୨୫, ଶୁଭମିତ୍ରାଙ୍କ ପରିବାର ଲୋକେ କ୍ୟାପିଟାଲ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

• ସେପ୍ଟେମ୍ବର ୧୭, ୨୦୨୫, ପୋଲିସ୍ ତଦନ୍ତ କରି ଦୀପକ ରାଉତକୁ ଅଟକ ରଖିଥିଲା। ଜେରା ବେଳେ ଦୀପକ ସତ ମାନିବା ପରେ କମିଶନରେଟ୍ ପୋଲିସ୍ ଟିମ୍ କେନ୍ଦୁଝର ଯାଇଥିଲା।

• ହତ୍ୟା ପରେ ଦୀପକ ଶୁଭମିତ୍ରାଙ୍କ ମୃତଦେହକୁ କାର୍‌ରେ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ଏକ ଜଙ୍ଗଲରେ ପୋତି ଦେଇଥିଲା। ପରେ କମିଶନରେଟ୍ ପୋଲିସ ମାଟି ଖୋଳି ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରିଥିଲା।

ଦୀପକର ପୂର୍ବ ଇତିହାସ:

ତଦନ୍ତ ବେଳେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମଧ୍ୟ ସନ୍ଦେହଜନକ ପରିସ୍ଥିତିରେ (ସଡ଼କ ଦୁର୍ଘଟଣା) ଘଟିଥିଲା ଏବଂ ତାଙ୍କ ନାମରେ ଥିବା ବୀମା ରାଶି (ପ୍ରାୟ ୧ କୋଟି) ଦୀପକ ହାତେଇଥିଲା। ଉକ୍ତ ମାମଲାର ପୁନଃ ତଦନ୍ତ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି

ବିଭିନ୍ନ ପ୍ରମାଣ, ଯେପରିକି ସିସିଟିଭି ଫୁଟେଜ୍, ଡିଜିଟାଲ ପ୍ରମାଣ ଏବଂ ଆର୍ଥିକ କାରବାରର ତଥ୍ୟକୁ ଏକାଠି କରି କ୍ୟାପିଟାଲ୍ ଥାନା ପୋଲିସ ଏହି ବିସ୍ତୃତ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି, ଯାହା ଏହି ଜଘନ୍ୟ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କ ଦୋଷ ପ୍ରମାଣ କରିବାରେ ସହାୟକ ହେବ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories