ଦେଶର ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ଏକ ବିବାଦୀୟ ଟିପ୍ପଣୀକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ପୁରୀ ଶ୍ରୀମନ୍ଦିର ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସେ ସୋସିଆଲ ମିଡିଆରେ ଯେଉଁ ଭୁଲ୍ ଉପସ୍ଥାପନା କରିଛନ୍ତି, ତାହାକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶୁଭଙ୍କର ମିଶ୍ରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବିବାହ ପୂର୍ବରୁ ଯଦି କୌଣସି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରନ୍ତି, ତେବେ ସେମାନଙ୍କ ପ୍ରେମ କେବେହେଲେ ସଫଳ ହେବନାହିଁ। ସେମାନେ କେବେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସେ ଏହି ଅଦ୍ଭୁତ ଦାବି ପଛରେ ଏକ ପୁରାଣ କଥା ଯୋଡ଼ିଛନ୍ତି। ତାଙ୍କ ମତରେ, ଶ୍ରୀମନ୍ଦିର ଉପରେ ମାଆ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ସେ ବର୍ଣ୍ଣନା କରିଛନ୍ତି ଯେ, ଥରେ ମା ରାଧାରାଣୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ। କିନ୍ତୁ ସେହି ସମୟରେ ମନ୍ଦିରର ସେବାୟତମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାରୁ ଅଟକାଇଥିଲେ। ସେବାୟତମାନେ କହିଥିଲେ ଯେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀମାନଙ୍କ ପ୍ରବେଶ ଉପରେ ବାରଣ ରହିଛି ଏବଂ ସେ କିଭଳି ଭିତରକୁ ଆସିଲେ। ଏଭଳି କଥା ଶୁଣି ମା’ ରାଧାରାଣୀ ଅତ୍ୟନ୍ତ କ୍ରୋଧିତ ହୋଇ ରାଗରେ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଏହି ଅଭିଶାପ କାରଣରୁ ହିଁ ପ୍ରେମୀ ଯୁଗଳଙ୍କ ପ୍ରେମ ଶ୍ରୀମନ୍ଦିର ଦର୍ଶନ ପରେ ସଫଳ ହୋଇପାରେ ନାହିଁ ବୋଲି ଶୁଭଙ୍କର ମିଶ୍ର ଉଲ୍ଲେଖ କରିଛନ୍ତି।
ଶୁଭଙ୍କର ମିଶ୍ରଙ୍କ ଦ୍ୱାରା ଶ୍ରୀମନ୍ଦିରର ପବିତ୍ରତା ଏବଂ ମହାପ୍ରଭୁଙ୍କ ପରମ୍ପରା ପ୍ରତି ଏଭଳି ମିଥ୍ୟା ଓ ଭୁଲ୍ ଉପସ୍ଥାପନ ଏବେ ପୁରୀ ସମେତ ସାରା ଓଡ଼ିଶାରେ ଧର୍ମପ୍ରାଣ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସୋସିଆଲ ମିଡିଆରେ ତାଙ୍କର ଏହି ଟିପ୍ପଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ଅନେକ ଲୋକ ତାଙ୍କର ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ସାଧାରଣ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଏବଂ ଶ୍ରୀମନ୍ଦିରର ମହତ୍ତ୍ୱକୁ କ୍ଷୁର୍ଣ୍ଣ କରୁଥିବା ଏହି ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କେତେକ ମହଲରେ ଦାବି ହେଉଛି।








