ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମର ସ୍ବର୍ଗତ ଗୋପିନାଥ କ୍ଷେତି ମୃତ୍ୟୁର ଦେଢ଼ ବର୍ଷ ପରେ ମଧ୍ୟ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଗ୍ରହଣ କରିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି l ସୂଚନା ଅନୁଯାୟୀ, ସ୍ବର୍ଗତ ଗୋପିନାଥ ଗତ ୩୧ ଜାନୁଆରୀ ୨୦୨୪ ମସିହାରେ ମୃତ୍ୟୁବରଣ କରିଥିବା ବେଳେ କେଉଁଭଳି ଭାବରେ ସେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଏନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅବିନାଶ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ଆଧାର ଲିଙ୍କ ହେତୁ ବ୍ୟାଙ୍କ ପାସବୁକରେ ଭତ୍ତା ଟଙ୍କା ଯାଉଛି ବୋଲି ମତ ରଖିଥିଲେ l ଦୁର୍ଭାଗ୍ୟ ତଥା ବିଡ଼ମ୍ବନାର ବିଷୟ ଗୋପିନାଥଙ୍କ କନିଷ୍ଠ ପୁତ୍ର କୃପାସିନ୍ଧୁ ବାପାଙ୍କ ବ୍ୟାଙ୍କ ଖାତା ନେଇ ହରଭଙ୍ଗାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ ମଧ୍ୟ ମୃତ୍ୟୁ ପରେ ବ୍ୟାଙ୍କ ଖାତାରେ କେବେ ବି ଭତ୍ତା ଟଙ୍କା ଜମା ହୋଇନଥିବା ଜାଣିବାକୁ ପାଇଥିଲେ l
ମୃତ ବ୍ୟକ୍ତିଙ୍କ ନାଁରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ ଘଟଣା ହରଭଙ୍ଗାରେ ପ୍ରଥମ ତଥା ପଞ୍ଚାୟତ ଇତିହାସରେ କଳଙ୍କିତ କଳାଫର୍ଦ୍ଦ ଭାବରେ ଲିପିବଦ୍ଧ ହୋଇପାରେ ବୋଲି ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳୁଛି l କିଛି ବର୍ଷ ଧରି ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ବର୍ତ୍ତମାନ ଧିରେ ଧିରେ ଭାନୁମତୀ ପେଡ଼ି ଖୋଲିବା ଆରମ୍ଭ କରିବା ସହ ଅପାରଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅପାରଗତା ପଦାରେ ପଡ଼ିଛି l ସରକାରୀ ଅଧିକାରୀମାନେ ଗୋପିନାଥଙ୍କ ଭଳି ଅନେକ ମୃତ ବ୍ୟକ୍ତିଙ୍କୁ ସରକାରୀ ନଥିପତ୍ରରେ ଜୀବିତ ଦର୍ଶାଇ ଭତ୍ତା ଟଙ୍କା ହଡ଼ପ କରିବା ଫଳରେ ରାଜ୍ୟ ସରକାରଙ୍କ ନୂଆ ଟାର୍ଗେଟ ଆସୁନଥିବା କାରଣରୁ ଆଜି ମଧ୍ୟ ଶହ ଶହ ଯୋଗ୍ୟ ହିତାଧିକାରୀମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି l
ଜିଲ୍ଲା ବିଜେଡ଼ି ସାମାଜିକ ଗଣମାଧ୍ୟମ ସଂଯୋଜକ ଅବକାଶ ସାହୁ ଡବଲ ଇଞ୍ଜିନ ସରକାରରେ ଭତ୍ତା ଲୁଟ ଏବଂ ଦୁର୍ନୀତି ସାଧାରଣ କଥା ହୋଇଯାଇଛି l ପୂର୍ବରୁ ଦିବ୍ୟାଙ୍ଗମାନଙ୍କ ଭତ୍ତା ହରିଲୁଟ ହେଉଥିବା ବେଳେ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି l ସମଗ୍ର ବୌଦ୍ଧ ଜିଲ୍ଲାରେ ଭତ୍ତା ହରିଲୁଟର ଭିଜିଲାନ୍ସ ତଦନ୍ତ କରାଗଲେ ଅନେକ ଗୁମର ଲୋକଲୋଚନକୁ ଆସିପାରନ୍ତା ବୋଲି କହିଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମ୍ବେଦନଶୀଳ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି l







