ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳବାଇ ଷ୍ଟେସନ ପରିସରରେ ଗତକାଲି ରାତିରେ ଘଟିଥିବା ଏକ ଅପରାଧିକ ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ଲୁଟ୍ ଉଦ୍ଦେଶ୍ୟରେ ହୋଇଥିବା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସମୟ ରାତି ୯ଟା, କୁମୁଦିନୀ ନାୟକ ଓ ତାଙ୍କ ସ୍ୱାମୀ ସନ୍ତୋଷ ସା ଷ୍ଟେସନକୁ ଆସୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଜଣେ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲା। ଶୂନଶାନର ଫାଇଦା ଉଠାଇ ଦମ୍ପତିଙ୍କଠାରୁ ଟଙ୍କା ଛଡ଼ାଇବା ପାଇଁ ଚେଷ୍ଟା କରିଥିଲା । ସେମାନେ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା।
ଆକ୍ରମଣରେ କୁମୁଦିନୀ ନାୟକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ସନ୍ତୋଷ ସା ମଧ୍ୟ ଆହତ ହୋଇଥିଲେ। ଘଟଣାର ସୂଚନା ପାଇ ରେଳବାଇ ପୋଲିସ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସା ସମୟରେ କୁମୁଦିନୀଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସନ୍ତୋଷଙ୍କ ଅବସ୍ଥା ଗୁରୁତର ରହିଛି।
ଘଟଣା ପରେ ଝାରସୁଗୁଡ଼ା ଜିଲ୍ଲା ପୋଲିସ, ଆରପିଏଫ ଓ ଜିଆରପି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର୍. ରାଘବେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିବା ବେଳେ, ତାଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।
ଏହି ଘଟଣା ପରେ ଷ୍ଟେସନ ପରି ସାର୍ବଜନୀନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି। ଷ୍ଟେସନ ପରି ଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ଘଟିବା ରେଳ ଯାତ୍ରୀଙ୍କ ସୁରକ୍ଷା ଉପରେ ଗଭୀର ପ୍ରଶ୍ନ ସୃଷ୍ଟି କରୁଛି। ଆଗାମୀ ଦିନରେ ଏଭଳି ଘଟଣାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯିବାକୁ ସାଧାରଣ ଲୋକ ଦାବି କରୁଛନ୍ତି।







